ମୁଖ୍ଯମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ଜାତିସଂଘ ରେସିଡେଣ୍ଟ କୋଅର୍ଡିନେଟର
1 min read
ଭୁବନେଶ୍ୱର : ପୁଣି ଥରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ସ୍ତରରେ ସାଉଣ୍ଟିଲେ ପ୍ରଶଂସା। ବିପର୍ଯ୍ୟୟ ପରିଚାଳନା, ଖାଦ୍ଯ ନିରାପତ୍ତା, ଫାଇଭ-ଟି ପ୍ରଶାସନିକ ବ୍ଯବସ୍ଥା, ମାନବ ବିକାଶ ସୂଚୀ ଓ ମିଲେଟ ମିଶନ ନେଇ ମୁଖ୍ଯମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ଜାତିସଂଘ ରେସିଡେଣ୍ଟ କୋଅର୍ଡିନେଟର। ଓଡ଼ିଶା ଗସ୍ତରେ ଆସିଥିବା ଜାତିସଂଘ ରେସିଡେଣ୍ଟ କୋଅର୍ଡିନେଟର ଶୋମ୍ବି ସାର୍ପ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ଓଡିଶାର ବିକାଶ ମାର୍ଗ, ଜାତିସଂଘର ବିଭିନ୍ନ ସଂସ୍ଥା ସହ ସହଭାଗିତା ସମ୍ପର୍କରେ ସେ ଆଲୋଚନା କରିଥିଲେ। ଓଡ଼ିଶା ସରକାରଙ୍କ ସହ ଜାତିସଂଘର ସଫଳ ସହଭାଗିତା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ମାନବ ବିକାଶ ସୂଚୀକୁ ବୃଦ୍ଧି କରିବା ଦିଗରେ ରାଜ୍ଯ ସରକାରଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ।
୧୯୯୯ ପ୍ରଳୟଙ୍କରୀ ମହାବାତ୍ଯା ଓଡିଶାକୁ ଛାରଖାର କରିଦେଇଥିଲା। ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି, ଦୃଢ଼ ନେତୃତ୍ବ ଯୋଗୁ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇପାରିଥିଲା। ସାରା ରାଜ୍ଯରେ ଗୋଷ୍ଠୀଭିତ୍ତିକ ପରିଚାଳନାକୁ ସେ ଶକ୍ତିଶାଳୀ କରିଥିଲେ। ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନାରେ ସାରା ଦେଶରେ ଓଡ଼ିଶା ରୋଲମେଡଲ ସାଜିଛି। ଫାଇଲିନର ସଫଳ ମୁକାବିଲା ଲାଗି ମୁଖ୍ଯମନ୍ତ୍ରୀଙ୍କୁ ୨୦୧୩ରେ ଜାତିସଂଘ ସମ୍ମାନିତ କରିଥିଲା ।
ସେହିପରି ଫନି ବାତ୍ଯାର ସଫଳ ମୁକାବିଲା ଲାଗି ୨୦୧୯ରେ ନ୍ଯୁୟର୍କ ଟାଇମସରେ ପ୍ରକାଶ ପାଇଥିଲା ଫ୍ରଣ୍ଟପେଜ ଆର୍ଟିକଲ। ଓଡିଶା ସରକାରଙ୍କ ମିଲେଟ ମିଶନକୁ ସେ ପ୍ରଶଂସା କରିବା ସହ ୨୦୨୩କୁ ମିଲେଟ ବର୍ଷ ଭାବେ ଜାତିସଂଘ ଘୋଷଣା କରିବା ପଛରେ ଓଡ଼ିଶାର ଭୂମିକା ରହିଛି ବୋଲି କହିଥିଲେ ସାର୍ପ। ଜାତୀୟ ଖାଦ୍ଯ ନିରାପତ୍ତା ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ନମ୍ବର ୱାନ। ରାଜ୍ଯରେ ଖାଦ୍ଯ ନିରାପତ୍ତା ନେଟୱର୍କ ସୁବିଶାଳ। ବିଭିନ୍ନ ଆହାର କେନ୍ଦ୍ରରେ ସମସ୍ତେ ମାତ୍ର ୫ଟଙ୍କାରେ ମିଲସ ପାଇପାରୁଛନ୍ତି। ରାଜ୍ଯରେ ଖାଦ୍ଯ ନିରାପତ୍ତା ସଂକ୍ରାନ୍ତ ଅନୁଭୂତି ଉଲ୍ଲେଖ କରିବା ଲାଗି ଗତ ୨୦୨୨ରେ ବିଶ୍ବ ଖାଦ୍ଯ କାର୍ଯ୍ୟକ୍ରମ ମୁଖ୍ୟାଳୟକୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରାଯାଇଥିଲା ଆମନ୍ତ୍ରଣ। ରାଜ୍ଯରେ ୨୦୧୯ରୁ ଚାଲିଆସିଥିବା ଫାଇଭ-ଟି ବ୍ଯବସ୍ଥାକୁ ନେଇ ସେ ବି ହୋଇଥିଲେ ଶତମୁଖ। ଏହି ବ୍ୟବସ୍ଥା ଯୋଗୁ ରାଜ୍ଯରେ ବ୍ଯାପକ ଅଭିବୃଦ୍ଧି ସମ୍ଭବ ହୋଇଛି ବୋଲି ସେ କହିଥିଲେ। ଓଡ଼ିଶା ଗସ୍ତରେ ଆସିଥିବାରୁ ଶୋମ୍ବି ସାର୍ପଙ୍କୁ ଧନ୍ଯବାଦ ଜଣାଇଥିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।