ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟ, ୫୩୨ ସ୍କୁଲ ହେଲା ଲୋକାର୍ପିତ

1 min read

ଭୁବନେଶ୍ୱର: 5-Tରେ ହାଇସ୍କୁଲ ରୂପାନ୍ତରଣ ଶିକ୍ଷାରେ ଯୋଡ଼ିଛି ସ୍ୱର୍ଣ୍ଣିମ ଅଧ୍ୟାୟ । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଜିଲ୍ଲାରେ ୫୩୨ଟି ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନର ସମ୍ମିଳନୀ କକ୍ଷରୁ ଭିସିରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲାର ୩୩୯ଟି ବିଦ୍ୟାଳୟକୁ ପ୍ରଥମେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସୋନପୁର ଜିଲ୍ଲାର ୪୧ଟି ହାଇସ୍କୁଲ, ବୌଦ୍ଧ ଜିଲ୍ଲାର ୨୪ଟି ହାଇସ୍କୁଲ, ମାଲକାନଗିରି ଜିଲ୍ଲାର ୪୭ଟି ହାଇସ୍କୁଲ, ଖୋର୍ଦ୍ଧା ଜିଲ୍ଲାର ୮୧ଟି ହାଇସ୍କୁଲକୁ ଲୋକାର୍ପଣ କରିଥିଲେ ନବୀନ ପଟ୍ଟନାୟକ ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଥିବା ଏହି ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ସ୍କୁଲଗୁଡ଼ିକରେ ଅତ୍ୟାଧୁନିକ ବିଜ୍ଞାନଗାରା, ପାଠଗାରା ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଶିକ୍ଷାଦାନ ପାଇଁ ଆଧୁନିକ ଜ୍ଞାନକୌଶଳର ଭିତ୍ତିଭୂମି ବଢ଼ାଯାଉଛି । ଏହା ଦ୍ୱାରା ସମୟ ସହ ତାଳ ଦେଇ ଆମ ରାଜ୍ୟରେ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ପିଲାମାନେ ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ସାମିଲ ହୋଇପାରିବେ । ସ୍କୁଲ ଗୁଡ଼ିକରେ ଭିତ୍ତିଭୂମିର ବିକାଶ ଯୋଗୁ ଶିକ୍ଷାରେ ଆସିବ ଗୁଣାତ୍ମକ ବିକାଶ । 5-Tରେ ସ୍କୁଲ ରୂପାନ୍ତରଣ ସମଗ୍ର ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।