ବାହାଘର ପ୍ରୋସେସନ ବେଳେ ପାଟିତୁଣ୍ଡ, ଟେଣ୍ଟ ମାଲିକଙ୍କୁ ହାଣିଦେଲେ ଡିଜେ ଗାଡ଼ି କର୍ମଚାରୀ

ପୁରୀ: ଡିଜେ ଗାଡ଼ି ଟେଣ୍ଟ କପଡ଼ା ଚିରାରୁ ପାଟିତୁଣ୍ଡ । ଟେଣ୍ଟ ମାଲିକଙ୍କୁ ହାଣିଦେଲା ଡିଜେ ଗାଡ଼ି କର୍ମଚାରୀ । ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନିମାପଡ଼ାରୁ ବାଲିକନ୍ଦଳକୁ ବରଯାତ୍ରୀ ଯାଉଥିଲେ । ରୋଷଣୀ କରି ଯାଉଥିବା ବେଳେ ସେହି ଗାଁର ଅନ୍ୟ ଏକ ବିବାହ ଉତ୍ସବରେ ଲାଗିଥିବା ଟେଣ୍ଟକୁ ଚିରି ପକାଇଥିଲା ଡିଜେ ଗାଡ଼ି । ଏହା ଦେଖି ଟେଣ୍ଟ ମାଲିକ ପପୁ ପ୍ରଧାନ ଏକୁଟିଆ ଯାଇ ବାଲିକନ୍ଦଳ ଗାଁ ମୁଣ୍ଡରେ ଡିଜେ ଗାଡ଼ିକୁ ଅଟକାଇଥିଲେ । ଘଟଣାକୁ ନେଇ ପାଟିତୁଣ୍ଡ ହେବାରୁ ଡିଜେ ଗାଡ଼ିରେ ଥିବା କର୍ମଚାରୀମାନେ ଟେଣ୍ଟ ମାଲିକ ପପୁଙ୍କୁ ହାଣି ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପପୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଘଟଣାକୁ ନେଇ ଏରବଙ୍ଗ ଗାଁର ଶତାଧିକ ଲୋକେ ଉତ୍ତ୍ୟକ୍ତ ହୋଇ ଡିଜେ ପାଇଁ ଆସିଥିବା ଭାଗି ବେହେରାଙ୍କ ବିବାହ ମଣ୍ଡପକୁ ଭଙ୍ଗାରୁଜା କରିବା ସହ ଭୋଜି ଖାଦ୍ୟକୁ ଫୋପଡ଼ା ଫିଙ୍ଗା କରିଥିଲେ । ଘଟଣାସ୍ଥଳରେ ଗୋପ, କୋଣାର୍କ, ନିମାପଡ଼ା ଆଇଆଇସି ଓ ନିମାପଡ଼ା ଏସଡିପିଓଙ୍କ ସମେତ ଅନେକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କନ୍ୟାର ଭିଣୋଇ ସମେତ ବରଯାତ୍ରୀଙ୍କ ସମସ୍ତ ଗାଡିକୁ ଥାନାରେ ଅଟକ ରଖିଛି ଗୋପ ପୋଲିସ । ଖୁବଶୀଘ୍ର ଡିଜେ ଗାଡ଼ି ଓ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଥିବା ବେଳେ ଗ୍ରାମରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁର ମୁଖ୍ୟ ରାସ୍ତାରେ ପୋଲିସ ମୁତୟନ ଅଛନ୍ତି ।