ରାଜ୍ୟରେ କାଲିଠୁ ବଢ଼ିବ ଖରା, ପଶ୍ଚିମରେ ୪୫ ଡିଗ୍ରୀ ଛୁଇଁପାରେ ତାତି

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା । ଅନୁଭୂତ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ । ବାତ୍ୟା ମୋକା ପ୍ରଭାବରେ କିଛି ଦିନ ହେଲା ତଳମୁହାଁ ଥିଲା ପାରଦ । ଆସନ୍ତାକାଲିଠୁ ସମଗ୍ର ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହେବ । କିଛି ଅଞ୍ଚଳରେ ସର୍ବାଧିକ ଏହା ୪୫ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ହେବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ । ଦୁଇ ଦିନ ପରେ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ଉପକୂଳ ତଥା ଉତ୍ତର ପୂର୍ବ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ସାମାନ୍ୟ ବର୍ଷା ହୋଇପାରେ  ।

ପ୍ରବଳ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତାତି ମୁକାବିଲା ପାଇଁ ସରକାରୀ ସ୍ତରରେ ସମୀକ୍ଷା ବୈଠକ କରାଯିବା ସହ ଜିଲ୍ଲାପାଳମାନଙ୍କୁ ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯିବା ସହ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପାନୀୟ ଜଳ ବିଭାଗକୁ ଆଲର୍ଟ ରଖାଯାଇଛି । ପିଏଚସି ଓ ସିଏଚସି ଗୁଡ଼ିକରେ ଏସି ରୁମ୍ ବ୍ୟବସ୍ଥା ସହ ଆବଶ୍ୟକ ଔଷଧ ଓ ଓଆରଏସ ମହଜୁଦ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ।