ତତଲା ତାଓ୍ୱାରେ ଭାଜି ହେଉଛି ଓଡ଼ିଶା, ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଖରାରେ ସିଝୁଛି ସାରା ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରତିଦିନ ତାପମାତ୍ରା ବୃଦ୍ଧିରେ ନୂଆ ରେକର୍ଡ ହେଉଛି । ଆସନ୍ତା ୩୦ ତାରିଖ ଯାଏଁ ଆହୁରି ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯଦି ସେମିତି ହୁଏ ତେବେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମେ’ ୩ ପର୍ଯ୍ୟନ୍ତ ହିଟଓ୍ୱେଭ୍ ପ୍ରଭାବ ରହିବ ।

ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ଖରାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଜିଠୁ ମେ’ ୨ ତାରିଖ ପର୍ଯ୍ୟନ୍ତ ୟୁଜି ଓ ପିଜି ପାଠପଢ଼ା ବନ୍ଦ ରହିବ । କ୍ଲାସ ସସପେଣ୍ଡ ହୋଇଥିଲେ ମଧ୍ୟ ପରୀକ୍ଷା, ଗବେଷଣାମୂଳକ ଓ ପ୍ରଶାସନିକ କାର୍ଯ୍ୟ ଜାରି ରହିବ ।