T20 World Cup: ବେଷ୍ଟ ଦେଇ ବି ଦଳକୁ ବିଶ୍ବ ମୁକୁଟ ପିନ୍ଧାଇ ପାରିନାହାନ୍ତି ଏମାନେ

ନୂଆଦିଲ୍ଲୀ: କୌଣସି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତିବାର ମାନେ ନୁହେଁ ବିଜୟୀ ଟିମର ବ୍ୟାଟ୍ସମ୍ୟାନ ହିଁ ଜିତାଇ ଥିବେ । ଯାହା ପ୍ରମାଣ କରି ଦେଖାଇଛି ଗତକାଲି ଶେଷ ହୋଇଥିବା ଟି୨୦ ବିଶ୍ବକପ୍ । ପୁଣିଥରେ ବେଷ୍ଟ ବ୍ୟାଟ୍ସମ୍ୟାନଙ୍କ ସହ ଯୋଡ଼ି ହୋଇଛି ଟି୨୦ ବିଶ୍ବକପର କଳଙ୍କିତ ଅଧ୍ୟାୟ । କ’ଣ ଏହି ବିଶ୍ବକପର କଳା ଇତିହାସ ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ।

ଆଜି ପର୍ଯ୍ୟନ୍ତ ବିଶ୍ବକପର ୭ଟି ସଂସ୍କରଣ ସରିଛି । ଜାଣିଛନ୍ତି ପ୍ରତି ସଂସ୍କରଣର ବେଷ୍ଟ ବ୍ୟାଟ୍ସମ୍ୟାନ ନିଜ ଦଳକୁ ଟ୍ରଫି ଜିତାଇ ପାରିନାହାନ୍ତି । ଅର୍ଥାତ ବିଶ୍ବକପର ହାଏଷ୍ଟ ସ୍କୋରର ପ୍ଲେୟାର ଗୋଟିଏ ଟିମର ଓ ଟ୍ରଫି ଜିତିଛି ଅନ୍ୟ ଟିମ୍ । ଏହା ଆରମ୍ଭରୁ ହୋଇ ଆସିଛି ଓ ଗତକାଲି ବି ଟି୨୦ ବିଶ୍ବକପ୍ ଇତିହାସରେ ଏହି ଶ୍ରେଣୀରେ ଆଉ ଜଣେ ବ୍ୟାଟ୍ସମ୍ୟାନଙ୍କ ନାଁ ଯୋଡ଼ି ହୋଇଛି ।

ଏବେ ଆସନ୍ତୁ ନଜର ପକାଇବା ବିଶ୍ବକପର କେଉଁ ସଂସ୍କରଣରେ କିଏ ଅଧିକ ସ୍କୋର କରିଛନ୍ତି ଓ କେଉଁ ଦଳ ବାଜି ମାରିଛି ।

୨୦୦୭: ପ୍ରଥମ ଟି୨୦ ବିଶ୍ବକପ ୨୦୦୭ରେ ଖେଳା ଯାଇଥିଲା । ଏଥିରେ ଅଷ୍ଟ୍ରେଲିଆର ମ୍ୟାଥ୍ୟୁ ହେଡେନ ସର୍ବାଧିକ ୨୬୫ ରନ୍ କରିଥିଲେ । ହେଲେ ସେ ଦଳକୁ ବିଜୟ ମୁକୁଟ ପିନ୍ଧାଇ ପାରି ନଥିଲେ । ଚଟାପଟ କ୍ରିକେଟ ଚାମ୍ପିଅନ ହୋଇଥିଲା ଭାରତ ।

୨୦୦୯: ବିଶ୍ବକପର ଦ୍ବିତୀୟ ସଂସ୍କରଣ ୨୦୦୯ରେ ଖେଳା ଯାଇଥିଲା । ଶ୍ରୀଲଙ୍କା ଓପନର ତିଲକରତ୍ନେ ଦିଲଶାନ ସର୍ବାଧିକ ୩୧୭ ରନ କରିଥିଲେ । ହେଲେ ଶ୍ରୀଲଙ୍କାକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବା । ଏଥିରେ ବାଜି ମାରିଥିଲା ପାକିସ୍ତାନ ।

୨୦୧୦: ତୃତୀୟ ସଂସ୍କରଣ ଖେଳା ଯାଇଥିଲା ୨୦୧୦ରେ । ଏଥିରେ ପୁଣି ଶ୍ରୀଲଙ୍କା ଖେଳାଳିଙ୍କ ଚମକ ଦେଖିବାକୁ ମିଳିଥିଲା । ମହେଲା ଜୟବର୍ଦ୍ଧନ ୩୦୨ ରନ କରି ଟୁର୍ଣ୍ଣାମେଣ୍ଟର ହାଏଷ୍ଟ ସ୍କୋରର ବ୍ୟାଟ୍ସମ୍ୟାନ ହୋଇଥିଲେ । ହେଲେ ବିଶ୍ବ ବିଜୟୀ ହୋଇଥିଲା ଇଂଲଣ୍ଡ ।

୨୦୧୨:  ଚତୁର୍ଥ ବିଶ୍ବକପରେ ଅଷ୍ଟ୍ରେଲିଆ ଓପନର ଶେନ ଓ୍ବାଟସନ୍ ସର୍ବାଧିକ ୨୪୯ ରନ୍ କରିଥିଲେ । ଏଥିରେ ବି ଇତିହାସ ଦୋହରାଇଥିଲା ଟି୨୦ ବିଶ୍ବକପ୍ । ବାଜି ମାରିଥିଲା ଓ୍ବେଷ୍ଟଇଣ୍ଡିଜ ।

୨୦୧୪: ବିଶ୍ବକପର ପଞ୍ଚମ ସଂସ୍କରଣରେ ବିରାଟ କୋହଲି ୩୧୯ ରନ୍ ସହ ହାଏଷ୍ଟ ସ୍କୋରର ବ୍ୟାଟ୍ସମ୍ୟାନ ବନିଥିଲେ । ବାଂଲାଦେଶରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କ ହୋଇଥିଲା ବିଶ୍ବ ଚାମ୍ପିଅନ ।

୨୦୧୬: ବିଶ୍ବକପର ଷଷ୍ଠ ସଂସ୍କରଣରେ ବାଂଲାଦେଶ ଓପନର ତମିମ ଇକବାଲଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା । ମୋଟ ୨୯୫ ରନ ସ୍କୋର କରିଥିଲେ ଇକବାଲ । ହେଲେ ସେ ବାଂଲାଦେଶକୁ ବିଶ୍ବ ମୁକୁଟି ପିନ୍ଧାଇ ପାରି ନଥିଲେ । ବିଜୟ ସହ ଟୁର୍ଣ୍ଣାମେଣ୍ଟରେ ମୁଣ୍ଡି ମାରି ଦ୍ବିତୀୟ ଥର ପାଇଁ ଚାମ୍ପିଅନ ହୋଇଥିଲା ଓ୍ବେଷ୍ଟଇଣ୍ଡିଜ ।

୨୦୨୧: ଗତକାଲି ସରିଛି ସପ୍ତମ ସଂସ୍କରଣ । ଅଷ୍ଟ୍ରେଲିଆ ରୂପରେ ବିଶ୍ବ ପାଇଛି ନୂଆ ଚାମ୍ପିଅନ । ହେଲେ ବିଶ୍ବକପ ଇତିହାସ ସମାନ । ଦୁଇ ଫାଇନାଲାଷ୍ଟ ଅଷ୍ଟ୍ରେଲିଆ କି ନ୍ୟୁଜିଲାଣ୍ଡ ନୁହେଁ ପାକିସ୍ତାନର ବାବର ଆଜମ ହେଉଛନ୍ତି ହାଏଷ୍ଟ ସ୍କୋରର ବ୍ୟାଟ୍ସମ୍ୟାନ । ୬ଟି ମ୍ୟାଚ୍ ଖେଳି ସେ ୩୦୩ ରନ୍ ସ୍କୋର କରିଛନ୍ତି । ହେଲେ ଦଳକୁ ଫାଇନାଲକୁ ନେଇ ପାରିନଥିଲେ ।

Leave a Reply