ବଡଚଣା ନିଲମ୍ବିତ ଆଇଆଇସିଙ୍କ ଗାଡିକୁ ନେଇ ହଜାର ପ୍ରଶ୍ନ !

ପୁରୀ: କଟକଣା ଭାଙ୍ଗି ଶ୍ରୀମନ୍ଦିରରେ ବଡ଼ଚଣା ଥାନା ଆଇଆଇସି ପ୍ରବେଶ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଆଇଆଇସି ନିଲମ୍ବିତ । ଆଇଆଇସି ଦୀପକ କୁମାର ଜେନାଙ୍କୁ ପୋଲିସ ଡିଜି ଅଭୟ ସସ୍‌ପେଣ୍ଡ କରିଛନ୍ତି । ଅନ୍ୟପଟେ ଥାନା ଅଧିକାରୀ ଦୀପକ ଜେନା ବ୍ୟବହାର କରିଥିବା ସ୍କୋର୍ପିଓ ଗାଡ଼ିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଗାଡ଼ି କଟକର ଜଣେ ଠିକାଦାରଙ୍କ ବୋଲି ଜଣାପଡିଛି । ସେ ତାଙ୍କ ରାସ୍ତା କାମ ନିରୀକ୍ଷଣ ନିମନ୍ତେ ଚଣ୍ଡିଖୋଲ ଯିବାବେଳେ କିଛି ଲୋକ ତାଙ୍କ ଗାଡ଼ି ସହ ଟଙ୍କା ମଧ୍ୟ ନେଇଯାଇଥିଲେ । ଏ ନେଇ ଠିକାଦାର ଜଣକ ଗତ ମାସରେ ବଡ଼ଚଣା ଥାନାରେ ଏତଲା ଦେଇଥିଲେ ।

ଏଠି ପ୍ରଶ୍ନ ଉଠୁଛି ଥାନା ଅଧିକାରୀ ଜବତ ଗାଡ଼ିକୁ ନାଲିବତି ଲଗାଇ କିପରି ବ୍ୟବହାର କରୁଥିଲେ ? ଏହାର ତଦନ୍ତ ଦାବି ହୋଇଛି ।

ଲକ୍‌ଡାଉନ୍‌ କଟକଣା ଭାଙ୍ଗି ଗତକାଲି ୩ ମହିଳାଙ୍କ ସହିତ ବଡ଼ଚଣା ଥାନା ଆଇଆଇସି ଦୀପକ ଜେନା ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଦକ୍ଷିଣଦ୍ଵାରରେ ନିୟୋଜିତ ଜେଟିପି ବାରଣ ସତ୍ତ୍ଵେ ସେ ଶ୍ରୀମନ୍ଦିରରେ ଜୋର ଜବରଦସ୍ତ ପ୍ରବେଶ କରିଥିଲେ । ଶ୍ରୀମନ୍ଦିର ଭିତରେ ସେବାୟତ ଦେଖିବା ପରେ ଖବର ଚର୍ଚ୍ଚାକୁ ଆସିଥିଲା । ଏନେଇ ପୁରୀ ସିଂହଦ୍ଵାର ଥାନାରେ ମାମଲା ରୁଜୁ ହୋଇଥିଲା । ଆଜି ପୋଲିସ ଡିଜି ଅଭୟ ତାଙ୍କୁ ଚାକିରିରୁ ସସ୍‌ପେଣ୍ଡ କରିଛନ୍ତି ।

Leave a Reply