ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ପୋଲିସ ଉପରେ ନାହିଁ ବିଶ୍ବାସ

ନୂଆଦିଲ୍ଲୀ: ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ମଣିପୁର ଭିଡିଓ ଭାଇରାଲ ମାମଲାରେ ରାଜ୍ୟ ସରକାରଙ୍କ ସହ ପୋଲିସ ପ୍ରଶାସନ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ଭିଡିଓ ଭାଇରାଲ ମାମଲାରେ ତଦନ୍ତ କରିବାରେ ଅଳସୁଆ ନୀତି ଆପଣେଇଛି ମଣିପୁର ପୋଲିସ । ଘଟଣାର ଦୁଇ ମାସ ପରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିଲା । ପୀଡିତାଙ୍କ ବୟାନ ରେକର୍ଡ କରିବାରେ ପୋଲିସର ବିଳମ୍ବ ଓ ନିଷ୍କ୍ରିୟତା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏସବୁ ସ୍ଥିତିକୁ ଦେଖିଲେ ମେ’ ମାସ ଆରମ୍ଭରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଆଇନକାନୁନର ବ୍ୟବସ୍ଥା ନଥିଲା । ପୋଲିସ ବ୍ୟବସ୍ଥା ଏତେ ନିଷ୍କ୍ରିୟ ଥିଲା ସାମାନ୍ୟ ଏଫଆଇଆର ରୁଜୁ କରିପାରିନଥିଲା ପୋଲିସ । ମାମଲାରେ ତଦନ୍ତ କରିବାରେ ମଣିପୁର ପୋଲିସ ସମ୍ପୂର୍ଣ୍ଣ ବିଫଳ । ସେମାନେ ଅପରାଧ ଉପରେ ନିୟନ୍ତ୍ରଣ ହରାଇଛନ୍ତି । ଆଇନକାନୁନ ରାଜ୍ୟରେ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ମାମଲାର ଶୁଣାଣି ବେଳେ ହାଜର ହେବା ପାଇଁ ମଣିପୁର ଡିଜିଙ୍କୁ କୋର୍ଟ ନୋଟିସ ପଠାଯାଇଛି । ଏହା ଉତ୍ତରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ  ଯେ କେବଳ ମେ’ ମାସରେ ରାଜ୍ୟରେ ୬ ହଜାର ମାମଲା ରୁଜୁ ହୋଇଥିଲା । ରାଜ୍ୟ ପୋଲିସ ନିଷ୍କ୍ରିୟ ଆଦୌ ନଥିଲା ବୋଲି ତୁଷାର ମେହେଟ୍ଟା କହିଥିଲେ । ଏହାକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ରୁଜୁ ହୋଇଥିବା ମାମଲାର ସମ୍ପୂର୍ଣ୍ଣ ରିପୋର୍ଟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏତେ ଗୁଡିଏ ମାମଲାରେ ସିବିଆଇ ତଦନ୍ତ କରିପାରିବ ନାହିଁ, କିମ୍ବା ରାଜ୍ୟ ପୋଲିସ ଉପରେ ତଦନ୍ତ ନେଇ କୌଣସି ଭରସା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।