ଧାର୍ମିକ ପୀଠସ୍ଥଳ ସଂକ୍ରାନ୍ତ ବିବାଦ ମାମଲା: ଆଜି ବିଭିନ୍ନ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ
ନନ୍ଦିଘୋଷ ବ୍ୟୁରୋ : ଧାର୍ମିକ ପୀଠସ୍ଥଳ ସଂକ୍ରାନ୍ତ ବିବାଦ ମାମଲା । ଦେଶରେ ମୁସଲିମମାନଙ୍କ ପୀଠଗୁଡିକ ଉପରେ ହିନ୍ଦୁମାନଙ୍କ ଅଧିକାର ସାବ୍ୟସ୍ତ ପ୍ରସଙ୍ଗରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଏନେଇ ଆଗତ କେତେକ ପିଟିସନର ହେବ ଶୁଣାଣି । ହିନ୍ଦୁ ପକ୍ଷର ଦାବି ହେଉଛି ମୋଗଲ ରାଜତ୍ବ ସମୟରେ ଅନେକ ମନ୍ଦିରକୁ ଭାଙ୍ଗି ସେଠାରେ ମସଜିଦ ନିର୍ମିତ ହୋଇଥିଲା। ଏହା ସହ ଧାର୍ମିକ ପୀଠସ୍ଥଳୀ ଆଇନକୁ ନିମ୍ନକୋର୍ଟ ଅବମାନନା କରୁଥିବା ନେଇ ବି ପିଟିସନରେ ଉଲ୍ଲେଖ ରହିଛି । ଏହି ଆଇନରେ ସ୍ବାଧୀନତା ପରେ କୌଣସି ପୀଠସ୍ଥଳୀକୁ ଅନ୍ୟ ରୂପ ଦିଆଯିବା ଉପରେ କଟକଣା ଲଗାଯାଇଛି। ଏହି ଆଇନକୁ ରଦ୍ଦ କରିବା ଲାଗି ହୋଇଥିବା ଆବେଦନକୁ ସିଜେଆଇ ସଞ୍ଜୀବ ଖନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେ. ଭି. ବିଶ୍ବନାଥନ ମାମଲାର ଶୁଣାଣି କରିବେ ।
ପୂର୍ବରୁ ଅଯୋଧ୍ୟା ବିଦାଦର ରାୟ ଦେବାବେଳେ ଏହି ଆଇନକୁ ଯଥାର୍ଥ କହିଥିଲେ ୫ ଜଣିଆ ଖଣ୍ଡପୀଠ। ସମ୍ବିଧାନର ମୂଳ ଲକ୍ଷ୍ୟ ରକ୍ଷା ଦିଗରେ ଏହି ଆଇନ ଉଦ୍ଦିଷ୍ଟ ବୋଲି ଖଣ୍ଡପୀଠ କହିଥିଲେ । ଇତିହାସକୁ ପରିବର୍ତ୍ତନ କରିବା ଲାଗି କାହାର ଅଧିକାର ନାହିଁ ବୋଲି କହିଥିଲେ ଖଣ୍ଡପୀଠ । ଅଯୋଧ୍ୟା ରାୟ ପରେ ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ବହୁ ପିଟିସନ ଦାୟର ହୋଇଥିଲା । ବିଜେପିର ଅଶ୍ବିନୀ ଉପାଧ୍ଯାୟ, ସୁବ୍ରମଣ୍ଯମ ସ୍ବାମୀ ଓ ଅନ୍ଯ ହିନ୍ଦୁ ସଂଗଠନ ପକ୍ଷରୁ ଏହି ପିଟିସନ ଦାୟର ହୋଇଛି । କାଶୀ, ମଥୁରା, ଜ୍ଞାନବାପି, ସମ୍ଭଲର ଶାହି ଜାମା ମସଜିଦ, ଆଜମେରର ସୁଫି ସାଧୁ ଖ୍ବାଜା ମୌଇନୁଦ୍ଦିନ ଚିସ୍ତି ମସଜିଦକୁ ନେଇ ବିବାଦ ଚାଲିଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ରହିଛି ସାରା ଦେଶର ନଜର ।