ଓଡ଼ିଆ ଶିଳ୍ପୀଙ୍କ କାନଭାସରେ ଭାରତର ଲାଇଫଲାଇନ୍
1 min readଭୁବନେଶ୍ୱର : କୁହାଯାଏ, ଶବ୍ଦ ଯେଉଁଠି ବୁଝାଇବାକୁ ଅକ୍ଷମତା ପ୍ରକାଶ କରେ, ସେଇଠି ‘’ଚିତ୍ର“ କଥା କହିଥାଏ । ଚିତ୍ର ହେଉଛି ଶବ୍ଦ ବିହୀନ ଗପ । ସବୁଠି ସୌନ୍ଦର୍ଯ୍ୟ ଥାଏ, ମାତ୍ର ସମସ୍ତ ଦେଖିପାରନ୍ତି ନାହିଁ । ଆଉ ଯାହା ଅନେକଙ୍କ ଆଖିକୁ ଦିଶେ ନାହିଁ, ତାହା ଶିଳ୍ପୀ ଆଖିକୁ ଦିଶିଥାଏ । ଦୌଡୁଥିବା ରେଳଗାଡ଼ି, କଡ ଲେଉଟାଉଥିବା ରେଳ ଷ୍ଟେସନ, ସଂଘର୍ଷମୟ ଓ୍ୱାଗନ୍ ଲାଇଫ୍ ଓ ହନ୍ତସନ୍ତ ହେଉଥିବା ଯାତ୍ରୀଙ୍କ ଭିତରେ ଏମିତି କିଛି ସୁନ୍ଦରତା ଓ ସମ୍ବେଦନ ଥିଲା, ଯାହା ବାଧ୍ୟ କରିଥିଲା ଜଣେ ଚିଫ୍ ଟିକେଟ ଇନସପେକ୍ଟରଙ୍କୁ ଚାକିରୀ ଛାଡ଼ିବା ପାଇଁ । ସେହି ବ୍ୟତିକ୍ରମ ଚିତ୍ରଶିଳ୍ପୀ ହେଉଛନ୍ତି ବିଜୟ ବିଶ୍ୱାଳ । ନିଜର ଅସାଧାରଣ ପ୍ରତିଭା ଯୋଗୁଁ ଏହି ଓଡ଼ିଆ ଚିତ୍ରଶିଳ୍ପୀ ଏବେ ସମଗ୍ର ଦେଶରେ କାହିଁକି, ଅନ୍ତର୍ଜାତୀୟ ସ୍ତରରେ ବି ଚର୍ଚ୍ଚିତ । ଆନ୍ ଆର୍ଟିଷ୍ଟ ହୁ ଲେଫ୍ଟ ରେଲଓ୍ୱେ ଟୁ ପେଣ୍ଟ ରେଲଓ୍ୱେ…କଥାଟି ଅବିଶ୍ୱସନୀୟ ଲାଗିପାରେ, କିନ୍ତୁ ନିରାଟ ସତ ।
ଅନେକ ସମୟରେ ନିଶା ଓ ପେଶାର ମିଳନ ହୋଇ ନଥାଏ । ପେଶାକୁ ନିଶାରେ ମିଳାଇବାର ପ୍ରୟାସ କରି ଅନେକ ମଧ୍ୟ ଜୀବନଯୁଦ୍ଧରେ ବଳି ପଡ଼ିଛନ୍ତି । କିନ୍ତୁ ପେଶାକୁ ନିଶାରେ ସଫଳ ରୂପାୟନ କରିବାର ସୌଭାଗ୍ୟ ଯେଉଁ କେତେଜଣଙ୍କ ଭାଗ୍ୟରେ ଜୁଟିଛି, ସେମାନଙ୍କ ମଧ୍ୟରେ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ ଅନ୍ୟତମ । ବିଜୟଙ୍କ କାନଭାସରେ ଦେଖିବାକୁ ମିଳେନି ପାରମ୍ପରିକ ପ୍ରେମ, ମିଳନର ଭାଷା ଅଥବା ରୋଗ, ଶୋକ ଜନିତ ବିଷାଦ । ତାଙ୍କ ତୂଳୀ ବ୍ୟତିକ୍ରମ । ବିଳମ୍ବିତ ରାତିରେ ଷ୍ଟେସନର ଚେହେରା, ଟ୍ରେନ୍ ଧରିବାକୁ ଅଣନିଶ୍ୱାସୀ ହୋଇ ଦୌଡୁଥିବା ମା ଝିଅ, ତରବରରେ ପାଣି ଟ୍ୟାପ୍ ଖୋଲୁଥିବା ଚପଳମତି ନବାଳକ ଅଥବା ଦେଶ ପାଇଁ ଯୁଦ୍ଧ ଲଢ଼ିବାକୁ ଯାଉଥିବା ସୈନିକଟି ପ୍ଲାଟଫର୍ମରେ ନିଜ ସ୍ତ୍ରୀ ଓ ପୁଅକୁ ବିଦାୟ ଦେଉଥିବା କୋହଭରା ଦୃଶ୍ୟ । ଭାରତୀୟ ରେଳବାଇରେ ଜଡିଥିବା ସମସ୍ୟା ଠୁନେଇ ବିକାଶ ଓ ସଂସ୍କାର ପର୍ଯ୍ୟନ୍ତ ସବୁକିଛି ଚମତ୍କାର ଭାବେ ପ୍ରତିଫଳିତ ହୋଇଛି ତାଙ୍କ କାନଭାସରେ ।
ବିଜୟଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ଥିଲା ସର୍ବାଧିକ ଚର୍ଚ୍ଚିତ ଆର୍ଟ ”ମୋଦି ଅନ୍ ପ୍ଲାଟଫର୍ମ ”। ଏକ ବର୍ଷଣମୁଖର ଅପରାହ୍ନରେ ଛତିଶଗଡ଼ କୋର୍ବା ଷ୍ଟେସନରେ ଭିଜା ପ୍ଲାଟଫର୍ମରେ ଚାଲୁଥିଲେ ମୋଦି । ଟ୍ରେନରୁ ଓହ୍ଲାଇବା ପରେ ମୋଦିଙ୍କ ହାତରେ ଥିଲା ଛତା ଓ ଏକ ବ୍ୟାଗ୍। ଏମିତି ଏକ ପରିକଳ୍ପନା କରି ଚିତ୍ରଟିକୁ ନିଛକ କରି ତୋଳି ଧରିଥିଲା ବିଜୟଙ୍କ ତୂଳୀ । ଏ ଫଟୋ ବହୁଳ ଭାବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୫ ଲକ୍ଷ ମୂଲ୍ୟରେ ଅକ୍ସନ୍ ହୋଇଥିଲା । ପରେ ମାଆଙ୍କୁ ଷ୍ଟେସନ୍ ଛାଡ଼ିବାକୁ ଆସିଥିବାର ମୋଦିଙ୍କ ଆଉ ଏକ ଫଟୋ ମଧ୍ୟ ଆଙ୍କିଥିଲେ ସେ। ଏସବୁ ମୋଦିଙ୍କ ଦୃଷ୍ଟିକୁ ଯିବା ପରେ ୨୦୧୫ ଜୁଲାଇରେ ନିଜ ମନ୍ କି ବାତରେ ଏନେଇ ଭୂୟସୀ ପ୍ରଶଂସା କରିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ବିଜୟ ମୋଦିଙ୍କୁ ସାକ୍ଷାତ କରିଥିଲେ । ରେଳବାଇ ଉପରେ ନିଖୁଣ ଚିତ୍ର ଯୋଗୁଁ ତତ୍କାଳୀନ ରେଲଓ୍ୱେ ମନ୍ତ୍ରୀ ସୁରେଶ ପ୍ରଭୁ ତାଙ୍କୁ ୨୦୧୬ ସୂରଜକୁଣ୍ଡରେ ହୋଇଥିବା ୩ ଦିନିଆ ରେଳ ବିକାଶ ଶିବିର କର୍ମଶାଳାକୁ ଆମନ୍ତ୍ରଣ କରିଥିଲେ ।
ବିଜୟଙ୍କ ଜନ୍ମ ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ । ୧୯୬୪ରେ ଜନ୍ମିତ ବିଜୟ କଲେଜ ଶିକ୍ଷା ସଂପୂର୍ଣ୍ଣ ପରେ ରେଲଓ୍ୱେରେ ଯୋଗଦେଇଥିଲେ । ମହାରାଷ୍ଟ୍ର ନାଗପୁର ଡିଭିଜନର୍ ପୋଷ୍ଟିଂ ହୋଇଥିଲେ । କିନ୍ତୁ ପରେ ସ୍ବଇଛାରେ ଚାକିରୀ ଛାଡିଥିଲେ । ଏନେଇ ବିଜୟଙ୍କ ମତ ହେଉଛି, ଲେଫ୍ଟ ରେଲଓ୍ୱେ ଟୁ ପେଣ୍ଟରେଲଓ୍ୱେ । ଏନେଇ ବିଜୟ କହନ୍ତି, ଆର୍ଟ ତାଙ୍କ ହାର୍ଟରେ ଅଛି । ଆର୍ଟ ନକରି ସେ ଦିନଟିଏ ବି ରହିପାରିବେନି । ଚାକିରୀରେ ରହି ଏସବୁ କରିବା ସମ୍ଭବ ନୁହେଁ । କୌଣସି ଆର୍ଟ କଲେଡରୁ ଡିଗ୍ରି କରିବାକୁ ସୁଯୋଗ ପାଇ ନଥିବା ବିଜୟ କହନ୍ତି, ସେ ନିଜେ ହିଁ ନିଜର ଗୁରୁ । ଯଦିଓ ଆକ୍ରାଲିକ୍ ଏବଂ ଓ୍ୱାଟର କଲର ହେଉଛି ତାଙ୍କ ଫେଭରିଟ୍, ତଥାପି ଅଏଲ ପେଷ୍ଟାଲ, ଚାରକୋଲ, ପେପର କୋଲାଜ୍ ଇତ୍ୟାଦି କରିବାକୁ ଭଲପାଆନ୍ତି । ପାଣି, ପଥର, ନଇଁ ଯାଉଥିବା ଗଛର ଶାଖା ଓ ଚେର, ଓଡ଼ିଶାର ମନ୍ଦିର, ମୁଖଶାଳା, ଜୀବନ ଯୁଦ୍ଧ ପାଇଁ ଅହରହ ଦୌଡୁଥିବା ନିମ୍ନ ମଧ୍ୟବିତ୍ତ ଇତ୍ୟାଦି ତାଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଫଳରେ ତାଙ୍କର ଅଧିକାଂଶ କାନଭାସରେ ଏସବୁକୁ ହିଁ ଦେଖିବାକୁ ମିଳେ । ମୁଖ୍ୟତଃ ତିନୋଟି ଥିମ୍ ଉପରେ ସେ ଗୁରୁତ୍ୱ ଦେଇଥାନ୍ତି । ରେଲଓ୍ୱେ, ସାଧାରଣ ମଣିଷ ସାମ୍ନା କରୁଥିବା ଟିକନିକ୍ ସମସ୍ୟା ଓ ମର୍ଯଦାଜନକ ଓଡ଼ିଆ ସଂସ୍କୃତି ।
ବିଜୟଙ୍କ କୃତୀ ଦେଶରେ ଯେତିକି, ବିଦେଶରେ ତାଠୁ ବେଶୀ । ତୁର୍କୀ ସରକାର ତାଙ୍କୁ ଏଯାଏଁ ପାଞ୍ଚ ଥର ପ୍ରଦର୍ଶନୀକୁ ଆମନ୍ତ୍ରଣ କରିଛନ୍ତି । ରୁଷିଆ, ମରିସସ, ଡେନମାର୍କରେ ଏକାଧିକ ଆର୍ଟ କ୍ୟାମ୍ପ୍ କରି ଓଡ଼ିଆ ଓ ଭାରତୀୟ ସଂସ୍କୃତିର ଛାପ ଛାଡ଼ିଛନ୍ତି । ଓଡ଼ିଆ ସଂସ୍କୃତି ଓ ଓଡ଼ିଶୀ ଡ୍ୟାନ୍ସ ଉପରେ ସେ ନିକଟରେ ଇଂଲଣ୍ଡ ଓ ନେପାଳରେ ଚିତ୍ରକଳା ପ୍ରଦର୍ଶନ କରିଛନ୍ତି । ଆସନ୍ତା ସପ୍ତାହରେ ସେ , ଭୁଟାନରେ ଏକ ମାସିକିଆ ଶିବିରରେ ଯୋଗଦେବେ । ଗତବର୍ଷ ଭୁବନେଶ୍ୱରରେ ଆୟୋଜିତ ହକି ବିଶ୍ୱକପ୍ କଳିଙ୍ଗ ଷ୍ଟାଡିୟମରେ ବିଜୟଙ୍କ ଏକ ଥିମ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଥିମ୍ ଥିଲା ‘ବେ ଅଫ୍ କଳିଙ୍ଗ’, ଯେଉଁଥିପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ବିଜୟଙ୍କ ଅଧିକାଂଶ ଆର୍ଟରେ ଦେଖିବାକୁ ମିଳେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଥିମ୍ । ସେ କୋଣାର୍କ ମନ୍ଦିର ହେଉ ଅଥବା ପୁରୀ ଶ୍ରୀମନ୍ଦିର, ପିପିଲି ଚାନ୍ଦୁଆ ହେଉ ବା ବାରବାଟୀ ଦୁର୍ଗ, ତାଙ୍କ ତୂଳୀ କୌଣସି ନା କୌଣସି ଲିଙ୍କ୍ କରାଇ ଚିତ୍ରପଟକୁ ଆହୁରି ଅର୍ଥପୂର୍ଣ୍ଣ ଓ ମହିମାମଣ୍ଡିତ କରିଥାନ୍ତି । ବିଜୟଙ୍କ ଏହି ସଫଳତା ପାଇଁ ତାଙ୍କୁ ଦେଶବିଦେଶରୁ ମିଳିଛି ବହୁ ସମ୍ମାନ ଓ ସ୍ୱୀକୃତି । ଓଡ଼ିଶା ସରକାର ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମନ୍ କି ବାତରେ ତାଙ୍କୁ ପ୍ରଶଂସା କରିଛନ୍ତି । ବିଜୟଙ୍କ ମତରେ ଆର୍ଟ ହେଉଛି ତାଙ୍କ ଧର୍ମ । ଈଶ୍ୱର କରନ୍ତୁ ବିଜୟଙ୍କ ଧର୍ମ ଆହୁରି ସମୃଦ୍ଧ ହେଉ, ଜଣେ ଓଡ଼ିଆ ଭାବେ ସବୁ ଓଡ଼ିଆଙ୍କୁ ଆହୁରି ଗର୍ବିତ କରାନ୍ତୁ । ')}