ଜ୍ଞାନ ବିଜ୍ଞାନ ମେଳା ଆୟୋଜନ କରି ଭାରତର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଲେ ଛାତ୍ରଛାତ୍ରୀ

1 min read

ପୁରୀ: ମହାକାଶ ଇତିହାସରେ ଇସ୍ରୋ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ । ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଚନ୍ଦ୍ରଯାନ-୩ ଉତକ୍ଷେପଣ କରିଛି ଭାରତ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ଯଦି ସଫଳତାର ସହ ଅବତରଣ କରେ, ତେବେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ଦେଶ ଭାବେ ଭାରତ ମହାକାଶ ବିଜ୍ଞାନରେ ସୁପର ପାଓ୍ବାର ଭାବେ ପରିଗଣିତ ହେବ । ଏଥିପାଇଁ ପୁରୀ ଅଠର ନଳା ଅଞ୍ଚଳର ଭଗବତୀ ବିଦ୍ୟାନିକେତନ ଛାତ୍ରଛାତ୍ରୀ ଭାରତୀୟ ବୈଜ୍ଞାନିକମାନଙ୍କୁ ଅଭିନବ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । କୁନି କୁନି ପିଲାଙ୍କୁ ନେଇ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଆୟୋଜନ କରି ଭାରତର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛି ବିଦ୍ୟାଳୟ ।

ଜ୍ଞାନ ବିଜ୍ଞାନର ଏହି ମେଳାରେ କୁନି କୁନି ପିଲାଙ୍କ ବିଭିନ୍ନ ଉଦ୍ଭାବନ ପ୍ରଦର୍ଶନ କରାଯାଇଥିଲା । ବିଜ୍ଞାନର ଅଗ୍ରଗତିକୁ ନେଇ ନିଜ ହାତରେ ଗଢିଥିଲେ ଭିନ୍ନ ଭିନ୍ନ ପ୍ରତିକୃତି । ଏଭଳି ଭିନ୍ନ ଚିନ୍ତାଧାରାକୁ ସ୍ୱାଗତ ଜଣାଇଛନ୍ତି ଅଭିଭାବକ ଓ ଶିକ୍ଷୟିତ୍ରୀ । ସେପଟେ କୁନି କୁନି ପିଲାମାନେ ମଧ୍ୟ ଏହି ଅବସରରେ ଭିନ୍ନଭିନ୍ନ ବିଷୟକୁ ପ୍ରାଥମିକତା ଦେଇ ମେଳାରେ ଅଂଶ ଗ୍ରହଣ କରିଥିବାରୁ ଖୁସି ପ୍ରକାଶ କରଛନ୍ତି । ଚନ୍ଦ୍ରଯାନର ସଫଳତା ପାଇଁ ସାରା ଦେଶ ଏବେ ପ୍ରାର୍ଥନା କରୁଛି । କୁନିକୁନି ପିଲାମାନେ ମଧ୍ୟ ଏହାର ସଫଳତାକୁ ନେଇ ବେଶ ଆଶାବାଦୀ ଅଛନ୍ତି ।