ଇଲାସଙ୍କ ସଂଘର୍ଷ କାହାଣୀ: ପଥର ପିଟିଲେ ୬ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଯାଏ ଦାନା

ଭଞ୍ଜନଗର: ପଥର ପିଟିଲେ ଘର ଜଳୁଛି, ଭୋକ ମେଣ୍ଟୁଛି । ଏଇଥିରୁ ରୋଜଗାର ପଇସାରେ ସ୍ବାମୀଙ୍କ ଚିକତ୍ସା ବି ହେଉଛି । ଏ ହେଉଛି ଗଞ୍ଜାମ ଜିଲ୍ଲା ଘାଟିପଲ୍ଲୀ ଗାଁର ଇଲାସ ନାୟକଙ୍କ ସଂଘର୍ଷର କାହାଣୀ ।  ଲିଭର ନଷ୍ଟ କାରଣରୁ ସ୍ବାମୀ ଘରେ ବସି ରହିଥିବା ବେଳେ ୬ ପ୍ରାଣୀ କୁଟୁମ୍ବଙ୍କ ଦାୟିତ୍ବ ମୁଣ୍ଡାଇଛନ୍ତି ଇଲାସ ।

ଭଙ୍ଗା ଦଦରା ଘର । ଛପର ଦେଇ ଦିଶୁଛନ୍ତି ଚନ୍ଦ୍ର, ସୂର୍ଯ୍ୟ । ଚାରିପାଖରେ ଝାଟିମାଟିର ବାଡ଼ । ଏହାରି ଭିତରେ ପଥର ପିଟିଲେ ଘରେ ଚୁଲି ଜଳେ । ରୋଗୀଣା ସ୍ବାମୀ ସହିତ ୬ ପ୍ରାଣୀଙ୍କର ପେଟକୁ ଦାନା ଯାଏ । ମାସେ ନୁହେଁ କି ବର୍ଷେ ନୁହେଁ, ୫ ବର୍ଷ ହେବ ଏମିତି ସଂଘର୍ଷ କରୁଛନ୍ତି ଇଲାସ । ପଥର ବାଡେଇ ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ସାଙ୍ଗକୁ ପିଲାଙ୍କ ବୋଝ ଉଠାଉଛନ୍ତି । ଯେଉଁଦିନ କାମ କରୁନାହାନ୍ତି ସେଦିନ ଚୁଲି ଜଳୁନି । ସାହି ପଡୋଶୀ ଯାହା ଦେଲେ ସେତିକିରେ କଟୁଛି ଦିନ । ଏମିତି ସ୍ଥିତିରେ ପଡୋଶୀ ବି କେତେ ସାହାଯ୍ୟ କରିବେ ।

୫ ବର୍ଷ ପୂର୍ବେ ବୃନ୍ଦାବନଙ୍କୁ ପ୍ରଥମେ ଜ୍ବର ହୋଇଥିଲା । ପରେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିବା ଜଣାପଡିଥିଲା । ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପରେ ମଧ୍ୟ କିଛି ସଫଳତା ମିଳିନଥିଲା । ରହିବାକୁ ଭଲ ଘରେ ଖଣ୍ଡେ ନଥିବାବେଳେ ଅନିଶ୍ଚିତ ଭବିଷ୍ୟତର ଦିନ ଗଣୁଛନ୍ତି ଚାରି ଚାରୋଟି ପିଲା । ଏ ସମ୍ପର୍କରେ ଜଗନ୍ନାଥ ପ୍ରସାଦ ବିଡିଓଙ୍କୁ ଯୋଗାଯୋଗ କରାଯିବାରେ ବୃନ୍ଦାବନଙ୍କ ଚିକିତ୍ସା ସାଙ୍ଗକୁ ଅନ୍ୟାନ୍ୟ ସୁବଧା ସୁଯୋଗ ଯୋଗାଇ ଦିଆାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply