କାହାଣୀ ‘ରାଜା ଇଡିପସ୍’, ଗ୍ରୀକ୍ ନାଟକରେ ଦର୍ଶକ ଅଭିଭୁତ

ଭୁବନେଶ୍ୱର: କପାଳରେ ଲେଖା ଥିବା ଭାଗ୍ୟକୁ ବଦଳାଇ ହୁଏନି । ବିଧାତା ଲେଖିଥିବା ରେଖା ଏବଂ ଦଇବ ଦେଇଥିବା ଅଭିଶାପ ଆଗରେ ଅସହାୟ ମଣିଷ । ଏଭଳି ଏକ କାହାଣୀକୁ ନେଇ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି ନାଟକ ‘ରାଜା ଇଡିପସ୍’ । ଭାଗ୍ୟ ସହିତ ମଣିଷର ସଂଘର୍ଷ କିଭଳି ସଭ୍ୟତାର ଆଦିମ କାଳରୁ ଚାଲିଆସିଛି, ତାହା ଏହି ନାଟକ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଅଢେଇଶହ ବର୍ଷ ତଳର ଏହି ଗ୍ରୀକ୍ ନାଟକକୁ ଓଡ଼ିଆ ଭାଷାନ୍ତର କରିବା ସହ ନିର୍ଦ୍ଦେଶନା ଦେଇଥିଲେ ଅଧ୍ୟାପକ ରମାକାନ୍ତ ମିଶ୍ର  ।

ରାଜା ଇଡିପସ୍ ନିଜ ପିତାଙ୍କୁ ହତ୍ୟା କରିବା ସହ ମାତାଙ୍କୁ ବିବାହ କରି ସନ୍ତାନ ଜନ୍ମ ଦେଉଥିବା ନିଚ୍ଛକ କାହାଣୀ ଦର୍ଶକଙ୍କୁ ବିମୋହିତ କରିଥିଲା । ଏଭଳି ଘଟଣାକୁ ରାଜା ଇଡିପସ୍ ଯେତେ ଟାଳିବାକୁ ଚେଷ୍ଟା କଲେ ମଧ୍ୟ ବିଫଳ ହୋଇଛନ୍ତି । ପ୍ରଥମ ଥର ପାଇଁ ଗ୍ରୀକ୍ ନାଟକର ନିଆରା ଅନୁଭୁତି ସାଉଁଟିଛନ୍ତି ଦର୍ଶକ । ଆଧୁନିକ ସମାଜରେ ଏବେ ବି ଏହି ପ୍ରସଙ୍ଗର ପ୍ରାସଙ୍ଗିକତା ରହିଛି ବୋଲି ଦର୍ଶକଙ୍କମାନଙ୍କୁ ବାର୍ତ୍ତା ଦେଇଛନ୍ତି କଳାକାର । ତେବେ ଗ୍ରୀକ୍ ନାଟକକୁ ଓଡ଼ିଆରେ ପରିବେଶଣ କରିବା ବେଶ୍‌ କଷ୍ଟକର ।

ଭାଗ୍ୟ ଏବଂ ମଣିଷ ସଂଘର୍ଷର କାହାଣୀକୁ ନେଇ ରଚିତ ଏହି ନାଟକରୁ ମଞ୍ଚସ୍ଥ କରିଥିଲେ ହୃଦୟ ଅନୁଷ୍ଠାନର କଳାକାର ।  ନାଟକରେ ବିନାୟକ ମିଶ୍ର, ଶଙ୍କର ବସୁମଲ୍ଲିକ, ହରେନ୍ ସାହୁ, ବିଭୁ ଦୀକ୍ଷିତ, କୃଷ୍ଣ ମହାରଣା, ମନୋଜ ମହାପାତ୍ର ଓ ରମାକାନ୍ତ ମିଶ୍ର ପ୍ରମୁଖ ଅଭିଜ୍ଞ କଳାକାର ଅଭିନୟ କରିଥିଲେ । ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର, ପ୍ରଯୋଜକ ଅକ୍ଷୟ କୁମାର ପରିଜା, କାଦମ୍ବିନୀର ସମ୍ପାଦିକା ଡକ୍ଟର ଇତି ସାମନ୍ତ, ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Leave a Reply