ଭୁବନେଶ୍ବର ବକୁଳ ପାଠାଗାରରେ ନ୍ୟୁୟର୍କର କୋଣାର୍କ ଚକ୍ରର କାହାଣୀ

ଭୁବନେଶ୍ବର : ଭୁବନେଶ୍ବର ବକୁଳ ପାଠାଗାରରେ ନ୍ୟୁୟର୍କର କୋଣାର୍କ ଚକ୍ରର କାହାଣୀ । ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା କୋଣାର୍କ ଚକ୍ର ପ୍ରତିକୃତି । ଏହି ଯାତ୍ରା କେମିତି ଥିଲା ତାହାକୁ ନେଇ ବକୁଳ ଫାଉଣ୍ଡେସନ ପକ୍ଷରୁ ବକୁଳ ପାଠାଗାରରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଥିରେ ଆର୍ଟର କ୍ୟୁରେଟର ତଥା ଫିଲ୍ମ ନିର୍ମାତା ଡା. ଜିତେନ୍ଦ୍ର ମିଶ୍ର ଓ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀ, ଅଭିନେତା ସବ୍ୟସାଚୀ ମିଶ୍ର ଯୋଗ ଦେଇଥିଲେ । ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ସହିତ ୧୦ ବର୍ଷର ବନ୍ଧୁତା । ବିକାଶ ଖାନ୍ନାଙ୍କ ଉପନ୍ୟାସ ଉପରେ ଆଧାରିତ ଫିଚର ଫିଲ୍ମ “ଦ ଲାଷ୍ଟ କଲର୍” ସମେତ ସେମାନେ ଏକାଠି କରିଥିବା ୬ଟି ଫିଲ୍ମ ବିଷୟରେ କାମ କରିଥିଲେ ।

କଳା ଓ ସଂସ୍କୃତି ବିଷୟରେ ପ୍ରୋତ୍ସାହନ ଦେବାକୁ ଆଗ୍ରହୀ ଥିଲେ ବିକାଶ ଖାନ୍ନା। ୨୦୨୦ରେ କୋଭିଡ୍ ସମୟରେ ବିକାଶ ନ୍ୟୁୟର୍କରେ ଥିବା ତାଙ୍କ ଫ୍ଲାଗସିପ୍ ରେଷ୍ଟୁରାଣ୍ଟ ପାଇଁ ତାଙ୍କ ବିଚାର ଉପରେ ଆଲୋଚନା ଆରମ୍ଭ କରିଥିଲେ । ଏକ ମ୍ୟୁଜିୟମ ନିର୍ମାଣ କରିବାକୁ ଚାହୁଁଥିଲେ ବିକାଶ। ମ୍ୟୁଜିୟମରେ ସମସ୍ତ ରାଜ୍ୟର ଖାଦ୍ୟ ଓ କଳାକୃତି ସ୍ଥାନ ପାଇଥିଲା । ଓଡ଼ିଶାର ପ୍ରସ୍ତର ଭାସ୍କର୍ଯ୍ୟକୁ ପ୍ରଦର୍ଶିତ କରିବା ସବୁଠାରୁ ଭଲ ହେବ ଏବଂ କୋଣାର୍କ ଚକ୍ର ଉପରେ ଚୂଡ଼ାନ୍ତ ରୂପ ଦେବାକୁ ଜିତେନ୍ଦ୍ର ବିକାଶଙ୍କୁ କହିଥିଲେ । ଏହା ପରେ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀଙ୍କ ସମେତ ୮ଜଣ ଶିଳ୍ପୀ ମିଶି ଯାଜପୁର ଲଳିତଗିରିରେ ଚକ୍ର ନିର୍ମାଣ କରିଥିଲେ। ସମସ୍ତ ଖର୍ଚ୍ଚ ବିକାଶ ଖାନ୍ନା ବହନ କରିଥିଲେ  । ଚକ୍ରଟି ୧୮ଶହ ୫୦ କେଜି, ୮ ଫୁଟ୍ ଉଚ୍ଚତା ଓ ୧୦ ଫୁଟ୍ ଲମ୍ବର ଏକ ଭାସ୍କର୍ଯ୍ୟକୁ ଆମେରିକା ପଠାଇବାରେ ଅନେକ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ରହିଥିଲା ।

ଭୁବନେଶ୍ୱରରୁ ଲଜିଷ୍ଟିକ୍ସର ସଂଯୋଜନା କରିଥିବା  ଅନ୍ତର୍ଜାମୀ ମିଶ୍ରଙ୍କ ସହାୟତାରେ ଶେଷରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ଏହାକୁ ନ୍ୟୁଜର୍ସିର ଏକ ଗୋଦାମକୁ ପଠାଯାଇଥିଲା। ଆଉ ଶେଷରେ ଚଳିତ ବର୍ଷ ଭାରତୀୟ ସ୍ୱାଧୀନତା ଦିବସ ଅବସରରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାର୍ ରେ ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା କୋଣାର୍କ ଚକ୍ର ପ୍ରତିକୃତି । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ୍ର ନିର୍ମାଣ ଓ ସ୍ଥାପନରେ ଉଲ୍ଲେଖନୀୟ ଅବଦାନ ପାଇଁ ବକୁଳ ଫାଉଣ୍ଡେସନ ପକ୍ଷରୁ କ୍ୟୁରେଟର ଜିତେନ୍ଦ୍ର ମିଶ୍ର ଓ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀଙ୍କୁ ସୁବାସ ପୂଜାରୀ ଓ ଅନ୍ତଯାର୍ମୀ ମିଶ୍ରଙ୍କୁ ସହ ସମ୍ବର୍ଦ୍ଧିତ କରାଯାଇଥିଲା।