୪୦୦ ବର୍ଷ ପୁରୁଣା ଷୋଳଶରାଣୀ ଗୁମ୍ଫାରୁ ଉଦ୍ଧାର ହେଲା ମାଆଙ୍କ ମୂର୍ତ୍ତି, ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ

ନୟାଗଡ: ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ବିରିଡିହ ଗାଁରେ ଅଲୌକିକ ଘଟଣା । ୪୦୦ ବର୍ଷ ପୁରୁଣା ଷୋଳଶରାଣୀ ଗୁମ୍ଫାରୁ ଉଦ୍ଧାର ହୋଇଛି ମାଙ୍କ ମୂର୍ତ୍ତି । ମାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟୁଛି ଭକ୍ତଙ୍କ ସୁଅ । ଗ୍ରାମବାସୀଙ୍କ ସହଯୋଗରେ ପାହାଡ ଉପରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । କିମ୍ବଦନ୍ତୀ ଅନୁସାରେ ରାଜା ରାଜୁଡାଙ୍କ ସମୟରେ ଜଙ୍ଗଲ ପାହାଡ ଘେରା ଗୁମ୍ଫା ଭିତରେ ମା ଷୋଳରାଣି ପୂଜା ପାଉଥିଲେ ।  ତେବେ କାଳକ୍ରମେ ପୂଜା ବନ୍ଦ ହୋଇଯାଇଥିବା ବେଳେ ମାଙ୍କ ବିଗ୍ରହ ଓ ଅଳଙ୍କାର ଚୋରମାନେ ଚୋରି କରିନେଇଥିଲେ ।

କିଛି ଦିନ ତଳେ ବୃନ୍ଦାବନରୁ ଆସିଥିବା ଜଣେ ସାଧୁ ମାଆ ସ୍ଵପ୍ନାଦେଶ କରିଥିଲେ । ପରେ ଗ୍ରାମବାସୀମାନେ ଷୋଳଶରାଣି ଗୁମ୍ଫା ନିକଟରେ ଖୋଜାଖୋଜି କରିବା ପରେ ମାଆଙ୍କ ବିଗ୍ରହ ମାଟିତଳୁ ଉଦ୍ଧାର କରିଛନ୍ତି । ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏବେ ମାଆଙ୍କ ବିଗ୍ରହକୁ ଗୁମ୍ଫା ନିକଟରେ ରଖି ପୂଜାର୍ଚ୍ଚନା କରୁଛନ୍ତି ଗ୍ରାମବାସୀ । ତେବେ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି ଗ୍ରାମବାସୀ ।