ଆସନ୍ତାକାଲି ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ୧୩୧ ଜିଲ୍ଲା ପରିଷଦ ଜୋନରେ ହେବ ଭୋଟିଂ

ଭୁବନେଶ୍ୱର: ଆସନ୍ତାକାଲି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଶେଷ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ସରିଛି ପ୍ରଚାର । ଅନ୍ତିମ ପର୍ଯ୍ୟାୟରେ ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନରେ ଅନୁଷ୍ଠିତ ହେବ ନିର୍ବାଚନ । ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେବେ ଭୋଟର । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ ୧୩ ହଜାର ୫୧୪ ବୁଥ ପ୍ରସ୍ତୁତ କରାଯାଇଥିବା ବେଳେ ମୋଟ ୪୧ ଲକ୍ଷରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରି ନିଜର ପ୍ରିୟ ନେତାଙ୍କୁ ବାଛିବେ ।

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସବୁ ବୁଥରେ ପହଞ୍ଚିବେ ପୋଲିଂ କର୍ମଚାରୀ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହେଉଛନ୍ତି । ପ୍ରତି ବୁଥ୍ ଉପରେ ନଜର ରଖାଯାଇଛି । ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ପାଇଁ ଘୋଷଣା ହୋଇଥିଲା । ଚାରୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ।  ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ୨୬, ୨୭ ଓ ୨୮ ଫେବ୍ରୁଆରୀରେ ଭୋଟ ଗଣତି ହେବ ।

Leave a Reply