ବଦଳିଲା ଗ୍ରୁପ୍ ସି କର୍ମଚାରୀଙ୍କ ପଦୋନ୍ନତି ନୀତି, ଏଣିକି ୫ ବର୍ଷର ସିସିଆର ଜରୁରୀ ନୁହେଁ, ଗୋଟିଏ କ୍ଲିକରେ ଫିଟିବ ପଦୋନ୍ନତି ବାଟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ଗ୍ରୁପ୍ ସି କର୍ମଚାରୀଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି ସରକାର। ଏଣିକି ସେମାନଙ୍କ ପଦୋନ୍ନତି ଲାଗି ଆଉ ୫ ବର୍ଷର ସିସିଆର କିମ୍ବା ପାରଦର୍ଶିତା ରିପୋର୍ଟ ( ପିଏଆର୍) ଆବଶ୍ୟକତା ପଡ଼ିବ ନାହିଁ। ଏହାବଦଳରେ ସମ୍ପୃକ୍ତ କର୍ମଚାରୀ କାମ କରୁଥିବା ଉପରିସ୍ଥ ଅଧିକାରୀଙ୍କ ଗୋଟିଏ ମାତ୍ର ମନ୍ତବ୍ୟ ତାଙ୍କୁ ପରବର୍ତ୍ତୀ ପାହାଚ ଚଢ଼ିବା ଅର୍ଥାତ୍ ପଦୋନ୍ନତି ଦେବାରେ ସହାୟକ ହେବ। ଏଥିନେଇ ୧୯୯୨ ମସିହାର ଓଡ଼ିଶା ପ୍ରଶାସନିକ ସେବାର ପଦୋନ୍ନତି ନିୟମାବଳୀରେ ସରକାର ସଂଶୋଧନ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ଏହାରି ଉପରେ ମୋହର ଲଗାଇଥିବା ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଛନ୍ତି।
ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପଦୋନ୍ନତି ଲାଗି ୫ବର୍ଷର ସିସିଆର୍ ବା ଚରିତ୍ର ପ୍ରମାଣପତ୍ର ଆବଶ୍ୟକ ପଡ଼ୁଥିଲା। ପୁଣି ପଦବୀ ଅନୁସାରେ ପ୍ରାର୍ଥୀ ଅଧିକ ହେଉଥିଲେ ଆହୁରି ପିଛିଲା ୩ ବର୍ଷର ସିସିଆର୍ ବା ପିଏଆର୍ ଆବଶ୍ୟକ ପଡ଼ୁଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ ଉପରିସ୍ଥ ଅଧିକାରୀମାନେ ଏହି ସିସିଆର୍ ବା ପିଏଆରକୁ ଠିକଣା ଭାବେ ରେକର୍ଡ଼ କରୁନଥିବା ଅଭିଯୋଗ ହୋଇ ଆସୁଥିଲା। ଅର୍ଥାତ୍ ଗ୍ରୁପ୍ ସି କର୍ମଚାରୀଙ୍କ କ୍ଷେତ୍ରରେ ଏହି ପ୍ରମାଣପତ୍ର ମିଳୁ ନଥିବାରୁ ଅନେକ କର୍ମଚାରୀଙ୍କର ପଦୋନ୍ନତି ବକେୟା ପଡ଼ିଥିଲା। ଏହାକୁ ବିବେଚନା କରି ରାଜ୍ୟ ସରକାର ୧୯୯୨ ଓଡ଼ିଶା ପ୍ରଶାସନିକ ସେବା ନିୟମରେ ସଂଶୋଧନ ଆଣିଛନ୍ତି।
ଏହି ସଂଶୋଧନ ଦ୍ୱାରା ସିସିଆର୍ ବଦଳରେ ଉପରିସ୍ଥ ଅଧିକାରୀଙ୍କୁ ସମ୍ପୃକ୍ତ କର୍ମଚାରୀ ଅଧିକ ଦାୟିତ୍ୱ ଗ୍ରହଣ କରିବା ପାଇଁ ଯୋଗ୍ୟ ବା ଅଯୋଗ୍ୟ ବିବେଚନା କରିବାକୁ ହେବ। ଏହି କ୍ରମରେ ସମ୍ପୃକ୍ତ ଅଧିକାରୀଙ୍କ ଆବଶ୍ୟକ ସଫ୍ଟୱେର୍ରେ ଏ ବିଷୟରେ ମନ୍ତବ୍ୟ ଦେବାକୁ ହେବ। ଏହାପୁଣି ଗୋଟିଏ ବଟନ୍ ମାଧ୍ୟମରେ ଶେଷ ହୋଇପାରିବ। ଅର୍ଥାତ୍ ଉପରିସ୍ଥ ଅଧିକାରୀଙ୍କୁ ଗୋଟିଏ ମାଉସ୍ କ୍ଲିକ୍ ଏବେ ଗ୍ରୁପ୍ ସି କର୍ମଚାରୀଙ୍କୁ ପଦୋନ୍ନତି ଦେବା ଲାଗି ସମସ୍ତ ବାଟ ଖୋଲିଦେବ। ଡିସେମ୍ବର ୩୦, ୨୦୨୦ ମସିହାରେ ସାଧାରଣ ପ୍ରଶାସନର ଏକ ଚିଠିରେ ଗ୍ରୁପ୍ ସି କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର୍ ବା ପିଏଆର୍ ଲେଖିବା ଅଭ୍ୟାସକୁ ଉଠାଇ ନିଆଯାଇଛି। ହେଲେ ଆଇନରେ ଆବଶ୍ୟକ ସଂଶୋଧନ ଆବଶ୍ୟକ ହେଉଥିବାରୁ କ୍ୟାବିନେଟ୍ ଏହାକୁ ବିଧିବଦ୍ଧ ଭାବେ ଅନୁମୋଦନ କରିଛନ୍ତି।