କାଲି ସମବେଦନା ନାଟକ ଆଜି ବନ୍ଦ ରାଜନୀତି

ସମ୍ବଲପୁର : କାଲି ସମବେଦନା ନାଟକ ଆଜି ବନ୍ଦ ରାଜନୀତି। ସମ୍ବଲପୁରକୁ ଶାନ୍ତି ଫେରୁଥିବା ବେଳେ ହିଂସା ଉସୁକାଇବାକୁ ବିଶ୍ବ ହିନ୍ଦୁ ପରିଷଦ ଦେଇଛି ବନ୍ଦ ଡାକରା। ଏହାକୁ ପୂର୍ଣ୍ଣ ସମର୍ଥନ କରୁଛି ରାଜ୍ୟ ବିଜେପି। ସମ୍ବଲପୁରରେ ଯେଉଁମାନେ ଗଣ୍ଡଗୋଳରେ ସଂପୃକ୍ତ ଥିଲେ, ପୋଲିସ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫଦାରୀ ଜାରି ରଖିଛି।
ଯେଉଁମାନେ ହିଂସାକୁ ଉସୁକାଇଥିଲେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଆକ୍ସନ୍ ହେବ। ହେଲେ ଏଭଳି ସ୍ପର୍ଶକାତର ଘଟଣା ଆଞ୍ଚରେ ରାଜନୀତିର ରୁଟି ସେକିବା ମୌକାକୁ ହାତ ଛଡ଼ା କରିବାକୁ ଚାହୁଁନି ରାଜ୍ୟ ବିଜେପି। ହୀନ ରାଜନୈତିକ ଷଡ଼ଯନ୍ତ୍ର କରି ସାଢେ ଚାରି କୋଟି ଓଡ଼ିଆ ଏବଂ ଓଡ଼ିଶାକୁ ବଦନାମ କରୁଛି। ଓଡ଼ିଶା ବିରୋଧରେ ଏହା ଭିଏଚପି ଓ ରାଜ୍ୟ ବିଜେପିର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର।
ସମ୍ବଲପୁରରେ ଶାନ୍ତି ଫେରୁଥିବା ବେଳେ ଅଶାନ୍ତିର ବିଷମଞ୍ଜି ପୋତିବାକୁ ପ୍ରୟାସ କରୁଛନ୍ତି। ଅଶାନ୍ତିର ମାହୋଲ ତିଆରି କରି ମାଇଲେଜ୍ ରାଜନୀତି କରୁଛି ରାଜ୍ୟ ବିଜେପି। ଆଜି ନୁହେଁ ବିଭିନ୍ନ ସ୍ପର୍ଶକାତର ଘଟଣାରେ ସବୁବେଳେ ଏମିତି ହିଁ ରହିଛି ବିଜେପିର ରଣନୀତି। ଏବେ ବିଭିନ୍ନ ପରୀକ୍ଷା ଚାଲିଥିବା ବେଳେ ବନ୍ଦ ଡାକରା ଦେଇ ସେମାନଙ୍କୁ ହଇରାଣ କରୁଛନ୍ତି।
ପ୍ରବଳ ଖରା ଗୁଳୁଗୁଳିରେ ଭିଏଚପି ବନ୍ଦ ଡାକରା ପାଇଁ ହଇରାଣ ହେଉଛନ୍ତି ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାର ଲୋକ। ଗତକାଲି ହିଂସାରେ ଆହତ ବ୍ୟକ୍ତିଙ୍କୁ ସମବେଦନା ଜଣାଇବା ଆଳରେ କର୍ଫ୍ୟୁ ନିୟମ ଭାଙ୍ଗିବାକୁ ଉଦ୍ୟମ କରୁଥିଲେ ରାଜ୍ୟ ବିଜେପି ନେତା। କଙ୍କଡାକୁ ଗୋଳିପାଣି ସୁହାଇଲା ଭଳି ଯେକୌଣସି ଘଟଣା ଦୁର୍ଘଟଣାକୁ ନେଇ ରାଜନୀତି କରିବା ରାଜ୍ୟ ବିଜେପିର ଚରିତ୍ର। ବିଜେପିର ଏଭଳି ଅପଚେଷ୍ଟାକୁ ସବୁ ମହଲରୁ ନିନ୍ଦା କରାଯାଇଛି।