ପୁରୀ ରଥଯାତ୍ରା ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ଲାଙ୍କେଟ ସିକ୍ୟୁରିଟି ବ୍ୟବସ୍ଥା

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରଥଯାତ୍ରାରେ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ। ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଆଇପି ଓ ଭିଭିଆଇପି ମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ୪ ଅତିରିକ୍ତ ଡିଜି, ୬ ଜଣ ଆଇଜି ଓ ଡିଆଇଜି ରାଙ୍କ ଅଫିସର ରହିବେ ।

ସେହିପରି କମାଣ୍ଡାଣ୍ଟ ଏବଂ ଏସପି ରାଙ୍କର ୧୯ ଅଫିସର, ଅତିରିକ୍ତ ଏସପି ଏବଂ ଡେପୁଟି କମାଣ୍ଡାଣ୍ଟ ଅଫିସର ୩୩ ଜଣ, ୧୩୦ ଜଣ ଇନ୍ସପେକ୍ଟର ମୁତୟନ ରହିବେ। ସୁଇପ୍ଟ ଆକ୍ସନ ଫୋର୍ସ ୩ ପ୍ଲାଟୁନ ମୁତୟନ ହେବେ । ରଥଯାତ୍ରା ଓ ପରଦିନ ଦୁଇଦିନ ଧରି ଏହି ସୁରକ୍ଷା ବ୍ୟବସ୍ଥା ରହିବ। ଆଜି ପୋଲିସ ଆଇଜି ଓ ପୁରୀ ଏସପି ପିନାକ ମିଶ୍ର ସୁରକ୍ଷା ବ୍ୟବସ୍ତାକୁ ଯାଞ୍ଚ କରିଛନ୍ତି । ପୋଲିସ ପ୍ରଶାସନ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ଅନୁଧ୍ୟାନ କରିଛନ୍ତି  । ଗୋଟିଏ ପଟେ ମହାମହିମଙ୍କ ସୁରକ୍ଷା ଏବଂ ଅନ୍ୟପଟେ ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହେବା ନେଇ ଏସପି ସୂଚନା ଦେଇଛନ୍ତି ।