ସନ୍ଦିଗ୍ଧ ବେଲୁନରେ ଡାଟା ଚୋରି, ପିଏଲଏ ନିୟନ୍ତ୍ରଣରେ ଉଡୁଥିଲା ସ୍ପାଏ ବେଲୁନ

ବେଜିଂ: ଚୀନ ସନ୍ଦିଗ୍ଧ ବେଲୁନରେ ଲାଗିଥିଲା ଗୁଇନ୍ଦା ତଥ୍ୟ ସଂଗ୍ରହ କରିପାରୁଥିବା ଆଣ୍ଟିନା । ଜାସୁସୀ ଆଣ୍ଟିନାରେ ଚୀନ ଚୋରାଉଥିଲା ଅନ୍ୟ ରାଷ୍ଟ୍ରର ଗୁଇନ୍ଦା ତଥ୍ୟ । ବେଲୁନଟି ଅନେକ କମ୍ୟୁନିକେସନ ସିଗନାଲ ସଂଗ୍ରହ କରିବାରେ ସକ୍ଷମ ଥିଲା । ଆମେରିକା ନଷ୍ଟ କରିଥିବା ଚୀନର ସ୍ପାଏ ବେଲୁନକୁ ନେଇ ସାଂଘାତିକ ଖୁଲାସା କରିଛି ଆମେରିକା ବୈଦେଶିକ ବିଭାଗ । ଆମେରିକା ସମେତ ୪୦ ଦେଶରେ ଚୀନ ସ୍ପାଏ ବେଲୁନ ଛାଡ଼ିଥିଲା । ସମସ୍ତ ୪୦ ଦେଶ ସହ ବାଇଡେନ ପ୍ରଶାସନ ଏନେଇ ଆଲୋଚନା କରିବ ବୋଲି ଆମେରିକା ବୈଦେଶିକ ବିଭାଗ କହିଛି ।

ଚୀନର ପିପୁଲ୍ସ ଲିବରେସନ ଆର୍ମି ନିୟନ୍ତ୍ରଣରେ ଏହି ବେଲୁନ ବିଭିନ୍ନ ରାଷ୍ଟ୍ରର ଗୁଇନ୍ଦାଗିରି କରୁଛି ବୋଲି ଆମେରିକା କହିଛି । ଆମେରିକା ଆକାଶରେ ଚୀନର ସନ୍ଦିଗ୍ଧ ବେଲୁନ ପହଞ୍ଚିବାରେ ସହଯୋଗ କରିଥିବା ସମସ୍ତ ଚୀନ୍‌ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା ପ୍ରସ୍ତୁତି ଚଳାଇଛି । ଗତ ୫ ତାରିଖରେ ଚୀନର ସ୍ପାଏ ବେଲୁନକୁ ଆମେରିକା ନଷ୍ଟ କରିବା ସହ ଆଣ୍ଟଲାଟିକ ମହାସାଗରରେ ପଡ଼ିଥିବା ଏହାର ଅଂଶବିଶେଷ ମଧ୍ୟ ଉଦ୍ଧାର କରାଯାଇଛି । ତେବେ ଆମେରିକାରରେ ଦେଖାଯାଇଥିବା ସନ୍ଦିଗ୍ଧ ବେଲୁନ ଚୀନର ବୋଲି ଚୀନ ସ୍ୱୀକର କରିଥିବା ବେଳେ ଗୁଇନ୍ଦାଗିରିକୁ ଅସ୍ୱୀକାର କରିଛି ।