୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ୪୮ଘଣ୍ଟା ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏବେ ରାଜ୍ୟକୁ ପଶ୍ଚିମ ବଙ୍ଗୋପସାଗରରୁ ପବନ ବହୁଛି । ଯାହାଫଳରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜାରି ରହିଛି ପ୍ରାକ୍ ମୌସୁମୀ ବର୍ଷା । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର, ଗଞ୍ଜାମ, ଗଜପତି, ଯାଜପୁର, ନୟାଗଡ଼, ନୂଆପଡ଼ାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ଓ ୧୮ ତାରିଖରେ ବର୍ଷାର ପରିମାଣ ବଢିବା ସହିତ ବିସ୍ତୃତି ମଧ୍ୟ ବଢ଼ିବ । ଅନ୍ୟପଟେ ୨୪ ଘଣ୍ଟା ଭିତରେ କାଳବୈଶାଖୀ ବର୍ଷା ପାଇଁ ୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ଅନ୍ୟପଟେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ତାପମାତ୍ରା ଏବେ ବି ୪୦ ଡିଗ୍ରୀ ଉପରେ ରହିଛି । ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହି ଜିଲ୍ଲା ଗୁଡ଼ିକରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ କମିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।