ଗାଜାସ୍ଥିତି ଅସମ୍ଭାଳ , ହଜାର ହଜାର ଲୋକ ଖାଇବାକୁ ନପାଇ ହେଉଛନ୍ତି ଛଟପଟ

ନନ୍ଦିଘୋଷ ବ୍ୟୁରୋ : ଗାଜାସ୍ଥିତି ଅସମ୍ଭାଳ । ଶହ ଶହ ଖାଦ୍ୟପଦାର୍ଥବାହୀ ଟ୍ରକ ସୀମାରେ ଠିଆ ହୋଇଥିଲେ ବି ହଜାର ହଜାର ଲୋକ ଖାଇବାକୁ ନପାଇ ଛଟପଟ ହେଉଛନ୍ତି । ଜାତିସଂଘ ସମର୍ଥିତ ସମନ୍ବିତ ଖାଦ୍ୟ ନିରାପତ୍ତା ସଂଗଠନ ଆଇପିସି ପକ୍ଷରୁ କୁହାଯାଇଛି ଗାଜାରେ ବସବାସ କରୁଥିବା ପ୍ରାୟ ୫ ଲକ୍ଷ ଲୋକ ଖାଦ୍ୟାଭାବରେ ସଢୁଛନ୍ତି । ତେବେ ଏହା ମନୁଷ୍ୟକୃତ ଏବଂ ଏଥିଲାଗି ଇସ୍ରାଏଲ ଦାୟୀ । ଖାଦ୍ୟଭର୍ତ୍ତି ଟ୍ରକଗୁଡିକୁ ଗାଜା ଭିତରକୁ ନପଠାଇବା ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି ସଂଗଠନ କହିଛି । ଦୁର୍ଭିକ୍ଷସ୍ଥିତି ପରି ଲୋକମାନେ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ହଜାର ହଜାର ଶିଶୁ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଗାଜାର ଅନେକ ଅଞ୍ଚଳରେ ଦୁର୍ଭିକ୍ଷ ପଡିଥିବାବେଳେ ଖାଦ୍ୟାଭାବ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ପ୍ରତି ପରିବାରର ପାଞ୍ଚଜଣଙ୍କ ଭିତରୁ ଜଣେ ଖାଦ୍ୟାଭାବର ଶିକାର ବୋଲି କୁହାଯାଇଛି । ସେହିପର ପ୍ରତି ତିନିଜଣ ଶିଶୁଙ୍କ ଭିତରୁ ଜଣେ ଅପପୁଷ୍ଟିର ଶିକାର ହୋଇଛନ୍ତି । ପ୍ରତି ୧୦ ହଜାର ଲୋକରେ ଦୁଇ ଜଣ ପ୍ରତିଦିନି ରୋଗ, ଅପପୁଷ୍ଟିର ଶିକାର ହୋଇ ଶଯ୍ୟାଶାୟୀ ହୋଇଛନ୍ତି । ଅପପୁଷ୍ଟିର ଶିକାର ହୋଇ ୧୧୨ ଶିଶୁ ସମେତ ୨୭୩ ଜଣଙ୍କ ମୃତ୍ୟୁ ଘଟିଲାଣି ବୋଲି ଜଣାଯାଇଛି । ସେପଟେ ଗାଜାରେ ଦେଖାଦେଇଥିବା ଖାଦ୍ୟାଭାବ ପଛରେ ଜାତିସଂଘ ସମେତ ସହାୟତାକାରୀ ସଂସ୍ଥା ଓ ହମାସ ଦାୟୀ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ଗତ ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରଠାରୁ ସ୍ଥିତି ସଂଗୀନ ହୋଇଛି । ଗାଜାରେ ଆମେରିକାର ବିବାଦୀୟ ସଂଗଠନ ଗାଜା ହ୍ୟୁମାନଟାରିଆନ ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ବଣ୍ଟନ ଜାରି ରହିଥିବା ସତ୍ତ୍ବେ ଏହା ଯଥେଷ୍ଟ ହେଉନାହିଁ ।