ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ୩୦ ଜିଲ୍ଲାର ୧୮୬ ଜିଲ୍ଲା ପରିଷଦ ଆସନରେ ଭୋଟିଂ
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଭୋଟ କାର୍ଡ ନଥିଲେ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ ୧୩ଟି କାର୍ଡ ଦେଖାଇ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ । ମହିଳାଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ୩୦୬୫ ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।
ତେବେ ଶୃଙ୍ଖଳିତ ନିର୍ବାଚନ ପାଇଁ ନିୟୋଜିତ ହୋଇଛନ୍ତି ୨୪୦ପ୍ଲାଟୁନ ଫୋର୍ସ । ଏହା ସହିତ ୧ ହଜାର ୭୫୩ ଭ୍ରାମ୍ୟମାଣ ପାଟ୍ରୋଲିଂ ପାର୍ଟି ମଧ୍ୟ ନିୟୋଜିତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଆଗାମୀ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସୂଚନା ଅନୁସାରେ ରାଜ୍ୟରେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଜି ରାଜ୍ୟରେ ଅନୁଷ୍ଠିତ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ହେବ ।