ଆଜିଠୁ ଆରମ୍ଭ ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ଅଧିବେଶନ, ଗୃହରେ ଉପସ୍ଥାପିତ ହେବ ଷ୍ଟାଣ୍ଡିଂ କମିଟି ରିପୋର୍ଟ

1 min read

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ମୌସୁମୀ ଅଧିବେଶନ । ଆଜି ଗୃହରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ । ୧୪ରୁ ୨୮ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । କୌଣସି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇନପାରିଲେ ୨୯ ତାରିଖରେ ତାହା ଗିଲୋଟିନ ଜରିଆରେ ପାରିତ କରାଯିବ । ଆସନ୍ତା ୩୦ ତାରିଖରେ ପାରିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍‌ । ସକାଳ ୧୦ଟା ୩୦ରୁ ୧ ଘଣ୍ଟାର ପ୍ରଶ୍ନକାଳକୁ ସୁରୁଖୁରୁରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜିଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଆଇନଶୃଙ୍ଖଳା, ଚାଷୀ, ବେକାରୀ, ଦରଦାମ ଆଦି ପ୍ରସଙ୍ଗ ଉଠାଇବେ ବିରୋଧୀ । ଯାହାକୁ ନେଇ ଗୃହ ବେଶ୍‌ ଉଷ୍ମ ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାହା ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ଶାସକ ଦଳ କହିଛି । କଂଗ୍ରେସ ଓ ବିଜେପି ଯେଉଁ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିବେ, ତାହା ଆଲୋଚନା କରାଯିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ।