ସୁଲୋଚନା ଦାସଙ୍କ ନେତୃତ୍ୱରେ ଆଜି ବସିବ ବିଏମସିର ଦ୍ୱିତୀୟ ପରିଷଦ ବୈଠକ

ଭୁବନେଶ୍ୱର: ଆଜି ବିଏମସିର ଦ୍ୱିତୀୟ ପରିଷଦ ବୈଠକ । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଅଗଷ୍ଟ ୩୧ ତାରିଖରେ ସମଗ୍ର ରାଜ୍ୟରେ ପାଳିତ ହେବ ସ୍ୱାୟତ୍ତ ଶାସନ ଦିବସ । ବର୍ତ୍ତମାନର ବର୍ଷା ଜନିତ ସମସ୍ୟା ଓ ଆଗକୁ ସ୍ୱାୟତ୍ତ ଶାସନ ଦିବସ ଥିବାରୁ ବୈଠକର ଗୁରୁତ୍ୱ ଅଧିକ ରହିଛି । ସ୍ୱାୟତ୍ତ ଶାସନ ଦିବସରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ । ସହୀଦ ନଗର ଓ ୟୁନିଟ ୨ ସ୍ଥିତ ବହୁତଳ ବିଶିଷ୍ଟ ପାର୍କିଂ ସମେତ ସତ୍ୟନଗର ସ୍ଥିତ ବିଏମସିର ନୂଆ କାର୍ଯ୍ୟାଳୟ କୋଠାର ଉଦଘାଟନ ହୋଇପାରେ । ଏହି ବୈଠକରେ ସମସ୍ତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ ।