ରାଜ୍ୟ ସରକାରଙ୍କ ସହଯୋଗରେ ‘ସାଗରମାଳା’ ପ୍ରକଳ୍ପ ହେଉଛି କାର୍ଯ୍ୟକାରୀ

1 min read

ଭୁବନେଶ୍ୱର : ଲୋକସେବା ଭବନରେ  “ସାଗରମାଳା” ରାଜ୍ୟସ୍ତରୀୟ କମିଟିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି  l ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ  । ଜଳପଥରେ  ବାଣିଜ୍ୟିକ  ବିକାଶକୁ ତ୍ବରାନ୍ବିତ କରିବାରେ ଏହି ପ୍ରକଳ୍ପ ସହାୟକ ହେବ  । ରାଜ୍ୟ ସରକାରଙ୍କ ସହଯୋଗରେ ସାଗରମାଳା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏଥିପାଇଁ ଜାତୀୟ ସ୍ତରରେ ଜାତୀୟ ସାଗରମାଳା ଆପେକ୍ସ କମିଟି ଓ ବିଭିନ୍ନ ରାଜ୍ୟରେ ରାଜ୍ୟସ୍ତରୀୟ କମିଟି ମାନ ରହିଛି । ଓଡିଶାରେ ପ୍ରାୟ ୪୮୦କିଲୋମିଟର ସୁଦୀର୍ଘ ସମୁଦ୍ରତଟ ରହିଛି । ଏହା ମଧ୍ୟରେ ଗୋପାଳପୁର, ଧାମରା, ପାରାଦୀପରେ ବନ୍ଦର ରହିଛି । ସେସବୁ ସମେତ ଅନ୍ୟ ଯେଉଁଠାରେ ସୁଯୋଗ ରହିଛି, ସାଗରମାଳା ପ୍ରକଳ୍ପ ଆଧାରରେ ତାହାକୁ ଉନ୍ନତିକରଣ କରାଗଲେ ସମୁଦ୍ର ପଥରେ ଓଡିଶା ତଥା ଦେଶର ବାଣିଜ୍ୟିକ ବିକାଶ ତ୍ବରାନ୍ବିତ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ  । ସାଗରମାଳା ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିଭିନ୍ନ ରାଜ୍ୟରେ ରହିଥିବା ବନ୍ଦର ଗୁଡିକର ଆଧୁନିକୀକରଣ ଓ ଦକ୍ଷତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବନ୍ଦର ବନ୍ଦର ମଧ୍ୟରେ ସଂଯୋଗୀ କରଣ ବୃଦ୍ଧି ପାଇବ  ।

ଏହା ସହ ବନ୍ଦର ଭିତ୍ତିକ ଶିଳ୍ପର ବିକାଶ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାର ବନ୍ଦର ଅଂଚଳରେ ଲୋକମାନଙ୍କର ଗୋଷ୍ଠୀଗତ ବିକାଶ ସାଧନ ହୋଇପାରିବ । ତା ସହିତ ବନ୍ଦର ଭିତ୍ତିକ ଜାହାଜ ଚଳାଚଳ ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ସୁଗମ ହୋଇପାରିବ ଏବଂ ସମୁଦ୍ର ତଟ ସୁରକ୍ଷା ମଧ୍ୟ ହୋଇପାରିବ ।  ପ୍ରକଳ୍ପରେ ରହିଥିବା ଏହି ୬ ଟିପ୍ରମୁଖ ଆଧାର ସଂପର୍କରେ ଏବଂ ରାଜ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢୀ ଆଲୋକପାତ କରିଥିଲେ ।