ଋଷରେ ଆଣ୍ଟି-ଓ୍ବାର ପ୍ରୋଟେଷ୍ଟ, ୩୦ଟି ସହରରେ ପୁଟିନଙ୍କୁ ତୀବ୍ର ବିରୋଧ

1 min read

ମସ୍କୋ: ଋଷରେ ଆଣ୍ଟି-ଓ୍ବାର ପ୍ରୋଟେଷ୍ଟ । ମସ୍କୋ ସମେତ ୩୦ଟି ସହରରେ ପୁଟିନଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ । ୟୁକ୍ରେନକୁ ଅଧିକ ୩ଲକ୍ଷ ରିଜର୍ଭ ସୈନ୍ୟ ପଠାଇବା ନିର୍ଦ୍ଦେଶ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିକ୍ଷୋଭ ଉଗ୍ର ରୂପ ନେଇଛି । ରିଜର୍ଭ ସୈନିକ ହେଉଛନ୍ତି ଋଷର ସାଧାରଣ ନାଗରିକ । ଯେଉଁମାନଙ୍କୁ ସୈନ୍ୟ ତାଲିମ ଦିଆଯାଇଥାଏ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଯେକୌଣସି ସ୍ଥାନରେ ମୁତୟନ କରାଯାଇପାରେ ।

ୟୁକ୍ରେନକୁ ରିଜର୍ଭ ସୈନ୍ୟ ପଠାଇବା ଘୋଷଣା ପରେ ବିକ୍ଷୋଭ ଜୋରଦାର ହୋଇଛି । ପ୍ରାୟ ୧୩ଶହ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି ପୋଲିସ । ରାଜଧାନୀ ମସ୍କୋ ଓ ଋଷର ସବୁଠୁ ବଡ଼ ଶିଳ୍ପ ସହର ପିଟର୍ସବର୍ଗରେ ଲକ୍ଷାଧିକ ଲୋକ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ ଜାରି ରଖିଛନ୍ତି । ସେପଟେ ୟୁକ୍ରେନରେ ମୋବିଲାଇଜେସନ ଘୋଷଣା ପରେ ଦେଶ ଛାଡ଼ି ଚାଲିଯାଉଛନ୍ତି ଋଷ ନାଗରିକ । ତୁର୍କି, ଆର୍ମେନିଆ, ଜର୍ଜିଆ ଆଦି ଦେଶକୁ ଯାଉଥିବା ଫ୍ଲାଇଟ ଫୁଲ୍ । ନାଗରିକଙ୍କ ପଳାୟନ ରୋକିବାକୁ ୧୮ରୁ ୬୫ବର୍ଷୀୟ ନାଗରିକଙ୍କ ଟିକେଟ ଉପରେ ରୋକ ଲଗାଇ ଦିଆଯାଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ବିନା ଅନୁମତିରେ ଟିକେଟ ବିକ୍ରି ନ କରିବାକୁ ଆଡଭାଇଜରୀ ଜାରି କରାଯାଇଛି । ଅନ୍ୟପଟେ ଯୁଦ୍ଧ ଅପରାଧ ପାଇଁ ଋଷଠାରୁ ଭିଟୋ ପାଓ୍ବାର ପ୍ରତ୍ୟାହାର କରିନେବାକୁ ନିବେଦନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେପଟେ ପ୍ରଥମ ଥର ଲାଗି ଋଷ-ୟୁକ୍ରେନ ମଧ୍ୟରେ ହୋଇଛି ବଡ଼ ଧରଣର ବନ୍ଦୀ ଅଦଳ ବଦଳ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ପ୍ରାୟ ୩୦୦ ବନ୍ଦୀଙ୍କୁ ଅଦଳବଦଳ କରାଯାଇଛି ।