‘ଜାତୀୟ ରାଜନୀତିରେ ବିଜେଡିର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର : ଦୈନିକ ଖବର କାଗଜ ‘ସକାଳ’ର ପ୍ରଥମ ସ୍ୱନକ୍ଷତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତା ଏକ ସୁସ୍ଥ ଗଣତନ୍ତ୍ରରେ ଦଳୀୟ ଖବର କାଗଜର ଗୁରୁତ୍ୱ ରହିଛି ଓ ଏହା ଏକ ସୁସ୍ଥ ପରମ୍ପରା ବୋଲି କହିଛନ୍ତି । ଚୀନ୍, ଉତ୍ତର କୋରିଆ ଭଳି କମ୍ୟୁନିଷ୍ଟ ଦେଶର ଖବର କାଗଜ ଓ ଭାରତରେ ଦଳୀୟ ସମର୍ଥନରେ ପ୍ରକାଶିତ ଖବର କାଗଜ ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି ସେ କହିଥିଲେ ।

ସାମ୍ପ୍ରତିକ ରାଜନୀତି ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ, ଯେଉଁ ଦଳ ଏବେ ଓଡ଼ିଶାକୁ ଶାସନ କରୁଛି ତାହା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଦଳ । ମୁଁ ଭାରତର ରାଜ୍ୟଙ୍କୁ ସେମାନଙ୍କ ଲୋକସଭା ଆସନ ସଂଖ୍ୟାକୁ ନେଇ ତିନି ଭାଗରେ ବିଭକ୍ତ କରିଥାଏ । ୪୦ରୁ ଅଧିକ ଲୋକସଭା ଆସନ ବିଶିଷ୍ଟ ରାଜ୍ୟ, ୪୦ରୁ କମ ଆସନ ସଂଖ୍ୟା ବିଶିଷ୍ଟ ରାଜ୍ୟ ଓ ୩୦ରୁ କମ ଆସନ ସଂଖ୍ୟା ବିଶିଷ୍ଟ ରାଜ୍ୟ । ଓଡ଼ିଶା ତୃତୀୟ ବର୍ଗରେ ଆସିଥାଏ । ଆମେ ସମସ୍ତେ ଗୁଜୁରାଟ, ମଧ୍ୟପ୍ରଦେଶ ରାଜନୀତି ବାବଦରେ ଜାଣିଛେ । ଆମେ ସମସ୍ତେ କର୍ଣ୍ଣାଟକ ବାବଦରେ ଜାଣିଛେ । ଲୋକସଭା ଆସନ ଦୃଷ୍ଟିରୁ କର୍ଣ୍ଣାଟକ ସହିତ  ଓଡ଼ିଶା ପ୍ରାୟ ସମାନ । ଏଠାରେ ଗୋଟିଏ ଦଳର ରାଜନୈତିକ ପ୍ରଭାବ ରହିଛି । ଆଉ ଏହାର ଲୋକସଭାରେ ଦୁଇ ଅଙ୍କ ବିଶିଷ୍ଟ ପ୍ରତିନିଧି ରହିଛନ୍ତି । ଏହି ଦୃଷ୍ଟିରୁ ଜାତୀୟ ରାଜନୀତିରେ ବିଜେଡିର ଗୁରୁତ୍ୱ ରହିଛି ।

ଓଡ଼ିଶା ବାବଦରେ ଜାଣିବାର ଆବଶ୍ୟକତା ରହିଛି

ଓଡ଼ିଶା ସମ୍ବନ୍ଧରେ ବାକି ଭାରତ କମ ଜାଣିଛି ବୋଲି କହିଥିଲେ ଶେଖର ଗୁପ୍ତା । ସେ କହିଥିଲେ ଯେ, ସେ ନିଜେ ଗୋଟିଏ ଘଟଣା ପରେ ଜାଣିବାକୁ ପାଇଥିଲେ ଯେ, ଓଡ଼ିଶା ହେଉଛି ଭାଷାଭିତିରେ ଗଠିତ ଦେଶର ପ୍ରଥମ ରାଜ୍ୟ । ତାମିଲନାଡୁର ପ୍ରତିଷ୍ଠା ଦିବସ କେବେ ପାଳିତ ହେବା ଆବଶ୍ୟକ ତାକୁ ନେଇ ସେଠାରେ ଚାଲିଥିବା ରାଜନୈତିକ ବୟାନବାଜୀ ଉପରେ ଅଧିକ ଅଧ୍ୟୟନ କାଳରେ ଓଡ଼ିଶା କେମିତି ଭାଷାଭିତ୍ତିରେ ପ୍ରଥମ ରାଜ୍ୟ ଭାବେ ଜନ୍ମ ନେଇଥିଲା ସେ କଥା କହିଥିଲେ ଗୁପ୍ତା ।

ବାତ୍ୟା ଆସିଲେ ଜାତୀୟ ଗଣମାଧ୍ୟମ ଓଡ଼ିଶାକୁ ଫୋକସ୍ କରନ୍ତି 

ଏହାଛଡ଼ା ସେ କହିଲେ, ଜାତୀୟ ରାଜନୀତିରେ ଓଡ଼ିଶା ଖବରକୁ ବିଶେଷ ଗୁରୁତ୍ବ ଦିଆନଯିବା ରାଜ୍ୟର ସୁଶାସନକୁ ଦର୍ଶାଉଛି । ତାଙ୍କ ମତରେ, ଆଜିକାଲି ଜାତୀୟ ଗଣମାଧ୍ୟମ ସାଧାରଣତ କେଉଁଠି କ’ଣ ଘଟିଥି, କେଉଁଠି ଦଙ୍ଗା ହେଲା, ଏମିତି ଖବର ପ୍ରସାରଣ କରୁଛନ୍ତି । ହେଲେ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠାରେ ସେମିତି କିଛି ଘଟୁନାହିଁ ଯାହା ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିବ ।  ରାଜ୍ୟ ସରକାରଙ୍କ ଭଲ ନେତୃତ୍ବ ଓ ଭଲ କାମ ପାଇଁ ଏହା ସମ୍ଭବ ହେଉଛି । ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଦଳ ବହୁତ ଶକ୍ତିଶାଳି ରହିଛି । ଏହା କେବଳ ନବୀନ ବାବୁଙ୍କ ସଫଳ ନେତୃତ୍ବରୁ ହୋଇପାରିଛି । ବିଜୁ ପଟ୍ଟନାୟକଙ୍କ କଥା ମନେ ପକାଇ ସେ କହିଥିଲେ । ଜାତୀୟସ୍ତରରେ ବିଜୁ ପଟ୍ଟନାୟକ ଏକ ପରିଚିତ ନାଁ ଓ ନେତା ଥିଲେ । ଏହାଛଡ଼ା ସେ କହିଲେ, ବାତ୍ୟା ଆସିବା ମାତ୍ରେ ଜାତୀୟ ଗଣମାଧ୍ୟମର ଫୋକସ୍ ଓଡ଼ିଶା ଆଡ଼କୁ ଢଳେ । ବାତ୍ୟା ମୁକାବିଲାରେ ଓଡ଼ିଶା ପୂର୍ଣ୍ଣ ସଫଳ ହେବା ବଡ଼ କଥା ।

Leave a Reply