ମନରେଗା ନାଁରେ ବାଲି ଚୋରି ଅଭିଯୋଗ, ତଦନ୍ତ ପାଇଁ ଯାଇ ମାଡ଼ ଖାଇଲେ ରାଜସ୍ୱ ବିଭାଗ କର୍ମଚାରୀ

ଜଳେଶ୍ୱର: ମନରେଗା କାମ ନାଁରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଚୋରି ଅଭିଯୋଗ । ପଚାରିବାରୁ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ । ଏହି ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କୁ ଉଠାଇନେଇଛି ପୋଲିସ । ଏହା ସହ ଗାଁରେ ୧ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଆକ୍ରମଣ କରିଥିବା ଲୋକମାନଙ୍କୁ ଖୋଜୁଛି ପୋଲିସ । ଅନ୍ୟପଟେ ୩ ଜଣ ରାଜସ୍ୱ ଅଧିକାରୀ ଏବଂ ଡ୍ରାଇଭରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜଳେଶ୍ଵର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାକୁ ନେଇ ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି, ଦୀର୍ଘଦିନ ଧରି ବାଲିଚୋରି ନେଇ ଅଭିଯୋଗ ହୋଇ ଆସୁଥିଲା । ଜଳେଶ୍ୱର ତହସିଲ ଅନ୍ତର୍ଗତ ଗଡ଼ସାହି ବାଲିଆପାଳ ଗାଁରେ ମନେରେଗା କାର୍ଯ୍ୟ ନାଁରେ ସୁବର୍ଣ୍ଣରେଖା ନଦୀରୁ ଶହେରୁ ଉର୍ଦ୍ଧ୍ୱ ଲୋକ ବେଆଇନ ଭାବେ ଟ୍ରାକ୍ଟର ସାହାଯ୍ୟରେ ବାଲି ଉଠାଇ ବିକ୍ରି କରୁଥିଲେ । ରାଜସ୍ୱ ବିଭାଗ ଟିମ୍ ଯାଞ୍ଚ ପାଇଁ ଯାଇଥିଲେ । କିନ୍ତୁ ସେମାନଙ୍କ ଗାଡ଼ିକୁ ମାଫିଆମାନେ ଭଙ୍ଗାରୁଜା କରିବା ସହ ରାଜସ୍ୱ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଓ ମୋବାଇଲ ଫୋନ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।