ଗୋଟିଏ ଛାତ ତଳେ ରହିବ ରାଜସ୍ୱ ବିଭାଗର ସମସ୍ତ କାର୍ଯ୍ୟାଳୟ, ବିଜେବିନଗରରେ ହେବ ରାଜସ୍ୱ ଭବନ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ଛକରୁ ହଟିବ ଟ୍ରାଫିକ ସମସ୍ୟା । ଏଥିପାଇଁ ସରକାରୀସ୍ତରରେ ନିଆଯାଇଛି ବଡ଼ ନିଷ୍ପତ୍ତି । ଗୋଟିଏ ଛାତ ତଳେ ରହିବ ରାଜସ୍ୱ ବିଭାଗର ସମସ୍ତ କାର୍ଯ୍ୟାଳୟ । କୃଷି ଭବନ, ଖାରବେଳ ଭବନ ଓ ରାଜୀବ ଭବନ ସଦୃଶ ନିର୍ମାଣ ହେବ ରାଜସ୍ୱ ଭବନ । ଗୋଟିଏ କୋଠାରେ ରହିବ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ, ଖୋର୍ଦ୍ଧା ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ କ୍ୟାମ୍ପ କୋର୍ଟ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ହୋଇଛି ଚୂଡ଼ାନ୍ତ ନିଷ୍ପତ୍ତି ।

ବିଜେବି ନଗରରେ ଚିହ୍ନଟ ହୋଇଛି ୪ ଏକର ୯୩୩ ଡେସିମିଲ ସରକାରୀ ଜମି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସରିଛି କ୍ଷେତ୍ର ପରିଦର୍ଶନ । କ୍ଷତିଗ୍ରସ୍ତ ହେବାକୁ ଥିବା ବସ୍ତିର ୧୨୦ ପରିବାର ଓ ଉଠା ଦୋକାନୀଙ୍କ ଥଇଥାନ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ବିଏମସିକୁ ଦିଆଯାଇଛି ନିର୍ଦ୍ଦେଶ । ସେହିପରି ଉଚ୍ଛେଦ ହେବ ସାଧାରଣ ପ୍ରଶାସନ ବିଭାଗର ପୁରୁଣା କ୍ୱାର୍ଟର ।