ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ରଥ ନିର୍ମାଣ ପ୍ରକ୍ରିୟା

ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ରଥ ନିର୍ମାଣ ପ୍ରକ୍ରିୟା । ପବିତ୍ର ଶ୍ରୀ ପଞ୍ଚମୀରେ ରଥକାଠ ଅନୁକୂଳ କରାଯାଇଛି । ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ସନ୍ଧ୍ୟାରେ ପୂଜାର୍ଚ୍ଚନା କରାଯାଇଛି । ଧଉରା କାଠକୁ ପୂଜାର୍ଚ୍ଚନା କରିଛନ୍ତି ରାଜ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣ । ମାଆ ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ସହିତ ପୂଜା କରିଛନ୍ତି ।

ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ । ପୁରୀରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ ରଥକାଠ ପହଞ୍ଚିଛି । ଅକ୍ଷୟ ତୃତୀୟା ତିଥିରେ ରଥଖଳାରେ ତିନିରଥ ନିର୍ମାଣ ଆରମ୍ଭ ହେବ ।