ରବିବାର ପାକିସ୍ତାନ ସଂସଦରେ ଅନାସ୍ଥା ଭୋଟ୍‌, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ଇମ୍ରାନ

ଇସଲାମାବାଦ: ଆସନ୍ତାକାଲି ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିରେ ହେବ ଅନାସ୍ଥା ଭୋଟ୍ । ଅନାସ୍ଥା ଭୋଟ ପୂର୍ବରୁ ପାକିସ୍ତାନର ସଂକଟଗ୍ରସ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଖେଳିପାରନ୍ତି ଆଉ ଏକ ଚାଲ୍ । ତାଙ୍କ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଦେଶୀ ଶକ୍ତିର ହାତ ରହିଛି ବୋଲି ସେ କରିଥିବା ଅଭିଯୋଗର ତଦନ୍ତ ପାଇଁ କମିଶନ ଗଠନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇପାରନ୍ତି ଇମ୍ରାନ । ଷଡଯନ୍ତ୍ର ପାଇଁ ପ୍ରଥମେ ସେ ଆମେରିକା ଆଡକୁ ପରୋକ୍ଷ ନିର୍ଦ୍ଦେଶ କରିଥିଲେ । ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ଆମେରିକା ।

କିନ୍ତୁ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଇମ୍ରାନ ଖାନ ଆମେରିକା ପରିବର୍ତ୍ତେ କେବଳ ଏକ ବିଦେଶୀ ଶକ୍ତି ତାଙ୍କ ସରକାରଙ୍କୁ ହଟାଇବାକୁ ଚାହୁଁଛି ବୋଲି କହିଥିଲେ । ଏପରିକି ପାକିସ୍ତାନର ବିରୋଧୀ ଦଳ ସେହି ବିଦେଶୀ ଶକ୍ତି ସହ ଯୋଗାଯୋଗରେ ଅଛି ବୋଲି ଇମ୍ରାନ ସଂଗୀନ ଅଭିଯୋଗ କରିଥିଲେ । ପାକ୍ ସଂସଦରେ ତାଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ ମଧ୍ୟ ଇସ୍ତଫା ଦେବାକୁ ମନା କରିଥିଲେ ଇମ୍ରାନ । ସେପଟେ ଇସ୍ତଫା ଦେବା ପାଇଁ ଇମ୍ରାନଙ୍କ ଉପରେ ସେନାର ଚାପ ଜାରି ରହିଥିବା କୁହାଯାଉଛି ।