ଓଡ଼ିଶା ପାଳୁଛି ଉତ୍କଳ ଦିବସ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ଉତ୍କଳ ଦିବସ ଅବସରରେ ଉତ୍ସବମୁଖର ସାରା ରାଜ୍ୟ । ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳ ଟ୍ୱିଟ କରି ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରୀଣ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧି କରିବାକୁ ରାଜ୍ୟପାଳ ବାର୍ତ୍ତା ଦେଇଛନ୍ତି ।

ସେହିପରି ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଟ୍ୱିଟ୍ କରି ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି । ଆସନ୍ତୁ ଓଡ଼ିଆ ଜାତିର ସ୍ୱାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।