ରାଷ୍ଟ୍ରପତି ଯିବେ ପୁରୀ-କୋଣାର୍କ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବନ୍ଦ ରହିବ ଦୋକାନ ବଜାର

Odisha Ramnath kovind‌

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଅତିରିକ୍ତ ଡିଜି ଜସୱନ୍ତ ଜେଠୱା । କାରକେଡ୍ ମକଡ୍ରିଲ କରିବା ସହ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ ଅତିରିକ୍ତ ଡିଜି । କେନ୍ଦ୍ରାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ ଓ ଏସ୍‌ପି କନୱର ବିଶାଳ ସିଂ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଏଥିସହ ଯେଉଁ ସେବାୟତ ମାନେ ଉପସ୍ଥିତ ରହିବେ ସେମାନଙ୍କ ସହ ଆଲୋଚନା କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ୪୦ ପ୍ଲାଟୁନ ଫୋର୍ସଙ୍କ ସମେତ ୨୫୦ ପୋଲିସ ଅଧିକାରୀ ଏବଂ ୧୩ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ରହିବେ ।

ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବନ୍ଦ ରହିବ ବଡଦାଣ୍ଡରେ ଥିବା ସମସ୍ତ ଦୋକାନ । ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସମସ୍ତ ଦୋକାନ ଓ ଉଠାଦୋକାନ ବନ୍ଦ ପାଇଁ ପୌରସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି | ରବିବାର ସନ୍ଧ୍ୟାରୁ ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ କୁହାଯାଇଛି ।

ସେହିଭଳି ଶ୍ରୀଜିଉଙ୍କ ଦର୍ଶନ ପରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ସୂର୍ଯ୍ୟମନ୍ଦିର, ଆଇଓସିଏଲ ବ୍ୟାଖାନ କେନ୍ଦ୍ର, ହେଲିପ୍ୟାଡ୍ ଓ ଯାତ୍ରୀନିବାସରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଅତିରିକ୍ତ ଡିଜି ଯଶୱନ୍ତ ଜେଠୱା । କାର୍‌କେଡ୍‌ ରିହର୍ସାଲ ମଧ୍ୟ କରାଯାଇଛି । ସୋମବାର ସକାଳ ୧୦ଟା ୨୫ରେ ରାଷ୍ଟ୍ରପତି କୋଣାର୍କ ପହଞ୍ଚି ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବେ । ପରେ ୧୧ଟା ୨୦ରୁ ୧୨ଟା ଯାଏଁ ଆଇଓସିଏଲ ଵ୍ୟାଖ୍ୟାନ ବୁଲିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ୧୨ଟା ୫ ମିନିଟ୍‌ରେ କୋଣାର୍କ ସ୍ଥିତ ଓଟିଡିସି ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ବ୍ୟବସ୍ଥା ହୋଇଛି । ଅପରାହ୍ନ ୪ଟାରେ ରାଷ୍ଟ୍ରପତି କୋଣାର୍କ ହେଲିପ୍ୟାଡ୍‌ରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

Leave a Reply