ଆଜି ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି, ୨୦ରେ ନୂଆ ରାଷ୍ଟ୍ରପତି ପାଇଁ ନିର୍ବାଚନ

କଲମ୍ବୋ: ଇସ୍ତଫା ଦେବା ପୂର୍ବରୁ ମାଳଦୀପରେ ପହଞ୍ଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ବିଳମ୍ବିତ ରାତିରେ ଦେଶ ଛାଡ଼ିଛନ୍ତି ଗୋଟାବାୟା । ଆଜି ସାର୍ବଜନିକ ଭାବେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ସମ୍ପର୍କରେ ଘୋଷଣା କରିବେ ବାଚସ୍ପତି । ଗତକାଲି ସେ ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଥିଲେ । ଏହାପରେ ଗୋଟାବାୟା ଦେଶ ଛାଡ଼ି ଚାଲିଯିବା ନେଇ ଚର୍ଚ୍ଚା ହେଉଛି । ପୂର୍ବତନ ମନ୍ତ୍ରୀ ବାସିଲ ରାଜପକ୍ଷ ଆମେରିକା ଯିବା ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରୁଥିଲେ । ଏଥିପାଇଁ ଦେଢ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ।

ଗୋଟାବାୟା ରାଜପକ୍ଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଶ୍ରୀଲଙ୍କାରୁ ରାଜପକ୍ଷେ ପରିବାରର ଶାସନ ହଟିଯିବ । ଆସନ୍ତା ୨୦ରେ ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବ । ଗୋଟାବାୟଙ୍କ ଇସ୍ତଫା ପରେ ରାଣିଲ ବିକ୍ରମ ସିଙ୍ଘେଙ୍କୁ ତତକାଳ ରାଷ୍ଟ୍ରପତି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ୧୫ରେ ସଂସଦରେ ସର୍ବଦଳୀୟ ବୈଠକ ହେବ । ଏହାପରେ ୧୯ରେ ରାଷ୍ଟ୍ରପତି ପଦର ନାମାଙ୍କନ ହେବ । ୨୦ରେ ରାଷ୍ଟ୍ରପତି ନିର୍ବାଚନ ହେବ । ନୂଆ ସରକାର ଗଠନ ପାଇଁ ଗୋଟାବାୟାଙ୍କ ସହ ଅନ୍ୟ ସବୁ ମନ୍ତ୍ରୀ ଇସ୍ତଫା ଦେବେ । ଏହାପରେ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବେ । ୩୦ ଦିନ ଭିତରେ ସଂସଦରେ ନୂଆ ରାଷ୍ଟ୍ରପତି ନିର୍ବାଚନ କରିବ ।