କୁମ୍ଭକାର ପରିବାରରେ ଖୁସିର ମାହୋଲ, ଲାଗିପଡ଼ିଛନ୍ତି କୌଳିକ ବୃତ୍ତିରେ

ନବରଙ୍ଗପୁର: ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୀପାବଳିରେ ବାଣ ବିକ୍ରି ଉପରେ ରୋକ ଲଗାଇଛନ୍ତି । ଏହାସହ ପାରମ୍ପରିକ ରୀତିରେ ଦୀପ ଜାଳି ଦୀପାବଳି ପାଳନ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ତେଣୁ ଏବେ ଲୋକଙ୍କ ମଧ୍ୟରେ ମାଟି ଦୀପ କିଣାକୁ ନେଇ ଆଗ୍ରହ ପ୍ରକାଶ ପାଇଛି । ଲୋକଙ୍କ ମଧ୍ୟରେ ମାଟି ଦୀପର ଚାହିଦା ବଢ଼ିବା ଦେଖି ଚଳିତ ବର୍ଷ ଭଲ ଦି’ପଇସା ରୋଜଗାର ଆଶାରେ ଅଛନ୍ତି କୁମ୍ଭକାର । ଏଥିପାଇଁ କୁମ୍ଭାର ପରିବାରଙ୍କ ମୁହଁରେ ହସ ଦେଖିବାକୁ ମିଳିଛି । କୁମ୍ଭାର ପରିବାର ମାନେ ଅନ୍ୟ କାର୍ଯ୍ୟ ଛାଡି କେବଳ ଦୀପ ତିଆରି କରିବାରେ ବ୍ୟସ୍ତ ହୋଇପଡିଛନ୍ତି ।

ଦେଶରେ ଗୋଟିଏ ପଟେ ଚାଇନା ବସ୍ତୁକୁ ବର୍ଜନ କରିବା ଆହ୍ଵାନ ଯୋଗୁଁ ମାଟି ଦୀପର ଚାହିଦା ବଢିବାରେ ଲାଗିଛି । ମାଟି ଦୀପର ଚାହିଦା ବଢୁଥିବା ଦେଖି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତଣ୍ଡାଗୁଡା ଗାଁର କୁମ୍ଭକାର ପରିବାର ବେଶ ଉତ୍ସାହିତ ଅଛନ୍ତି । ଏଠାକାର ସମସ୍ତ କୁମ୍ଭାର ପରିବାର କେବଳ ଦୀପ ନିର୍ମାଣ କରିବାରେ ବ୍ୟସ୍ତ ଅଛନ୍ତି ।

ସପରିବାର ଏଥିରେ ନିଯୋଜିତ ହୋଇଥିବା ବେଳେ କୁମ୍ଭାର ପରିବାରଙ୍କ ଘରେ ଦୀପ ଛଡା ଅନ୍ୟ କୌଣସି ମାଟି ସାମଗ୍ରୀ ଦେଖିବାକୁ ମିଳୁନାହିଁ । ସରକାରଙ୍କ ବାଣ ଫୁଟାଇବା ଉପରେ ରୋକ ସାଙ୍ଗକୁ ବିକ୍ରି ବନ୍ଦ ଫଳରେ ଲୋକେ କେବଳ ଦୀପ ଜାଳି ଦୀପାବଳି ପାଳନ ପାଇଁ ପ୍ରସ୍ତୁତି କରୁଥିବାରୁ ଦୀପ ବିକ୍ରି ଅଧିକ ହେବ ବୋଲି ଆଶା କରିଛନ୍ତି କୁମ୍ଭାର ପରିବାର । ଆଉ ଏଥିରୁ ବେଶ୍‌ ଦି, ପଇସା ଲାଭ ଉଠାଇବା ପାଇଁ ସେମାନେ ଦିନରାତି ଏକ କରି କେବଳ ଦୀପ ତିଆରି କରିବାରେ ବ୍ୟସ୍ତ ହୋଇପଡିଛନ୍ତି ।

ଚାଇନା ଦୀପ ଏବଂ ଲିଚୁ ଲାଇଟ୍‌ ଲଗାଇ ଅଧିକାଂଶ ଲୋକେ ଦୀପାବଳି ପାଳନ କରି ଆସୁଥିଲେ । ହେଲେ ଏବର୍ଷ ସରକାରଙ୍କ ନିଷେଧାଦେଶ ଏବଂ ଦୀପ ଲଗାଇ ଦୀପାବଳି ପାଳନ ଆହ୍ଵାନ ଯୋଗୁଁ କୁମ୍ଭାର ପରିବାରଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

Diwali

ଚଳିତ ବର୍ଷ ଦୀପ ବିକ୍ରି ଅଧିକ ହେବ ବୋଲି ବ୍ୟବସାୟୀମାନେ କୁମ୍ଭାର ପରିବାରଙ୍କ ନିକଟକୁ ଆସି ପୂର୍ବରୁ ଅଗ୍ରୀମ ଟଙ୍କା ଦେଇ ଦୀପ ଅର୍ଡର ଦେଉଛନ୍ତି । ସେହି ଅନୁସାରେ କୁମ୍ଭାର କାରିଗର ଦୀପ ତିଆରି କରିବାରେ ଲାଗିପଡିଛନ୍ତି । ଜିଲ୍ଲା ବାହାରୁ ଏବଂ ଆଖପାଖ ଅଞ୍ଚଳରୁ ବ୍ୟବସାୟୀମାନେ ଦୀପ କିଣିବାକୁ ଆସୁଥିବାରୁ ସେମାନେ ଅଧିକ ଉତ୍ସାହିତ ରହିଛନ୍ତି ।

Leave a Reply