ରାସ୍ତା ଅବରୋଧ ହଟାଇବାକୁ ଯାଇ ଗାଁ ଲୋକଙ୍କ ଆକ୍ରୋଶର ଶିକାର ପୋଲିସ

1 min read

ମୟୂରଭଞ୍ଜ : ଇଟାଭାଟି ଜମି ବିବାଦରୁ ତୁମୁଳକାଣ୍ଡ । ରାସ୍ତା ଅବରୋଧ ହଟାଇବାକୁ ଯାଇ ପୋଲିସ, ଗାଁ ଲୋକଙ୍କ ଆକ୍ରୋଶର ଶିକାର । ପଥରମାଡରେ ପୁଲିସ ଭ୍ୟାନ ଭାଙ୍ଗିବା ସହ ଏସଡିପିଓ ଓ ଆଇଆଇସି ଗୁରୁତର ଆହତ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେଲପାଳ ଗାଁରେ ଘଟିଛି ତୁମୁଳକାଣ୍ଡ । ଏକ ଇଟାଭାଟି ଜମି ମାଲିକାନାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ । ବିବାଦକୁ ନେଇ ଗୋଟିଏ ଗୋଷ୍ଠୀର ସମର୍ଥକ ବଡସାହି-ବେତନଟୀ ରାସ୍ତାକୁ ଦୀର୍ଘ ସମୟ ଅବରୋଧ କରିଥିଲେ । ପ୍ରଶାସନ ସେମାନଙ୍କୁ ନିବୃତ୍ତ କରିବାରେ ବିଫଳ ହେବାରୁ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ ଓ ବଡ଼ସାହି ଆଇଆଇସି ଉମାଶଙ୍କର ନାୟକ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେବେ ଅବରୋଧକାରୀ ମାନେ ସେମାନଙ୍କୁ ଆକ୍ରମଣ କରିବାରୁ ପୁଲିସ ଭ୍ୟାନ ଭାଙ୍ଗି ରୁଜି ଯାଇଥିବା ବେଳେ ଦୁଇ ପୁଲିସ୍ ଅଧିକାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି । ଆହତମାନଙ୍କୁ ବଡ଼ସାହି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବେଲପାଳ ଗାଁର ଜଣେ ବ୍ୟକ୍ତି ଏକ ଫ୍ଲାଏଆସ ଇଟାଭାଟିର ବ୍ୟାଙ୍କ ଋଣ ପରିଶୋଧ କରିନପାରିବାରୁ ବ୍ୟାଙ୍କ ତାକୁ ନିଲାମ କରିଥିଲା । ଗାଁର ଅନ୍ୟଜଣେ ବ୍ୟକ୍ତି ଏହି ଇଟା ଭାଟିକୁ ଲିଜରେ ନେଇ ଦଖଲରେ ରଖିଥିଲେ । ତେବେ ଋଣଖିଲାପକାରୀ ଉଚ୍ଚନ୍ୟାୟାଳୟରେ ଘଟଣାକୁ ନେଇ ଫେରାଦ ହୋଇଥିଲେ । ଉଚ୍ଚ ନ୍ୟାୟଳୟ ମଧ୍ୟ ବିଚାର ଶେଷ ପର୍ଯ୍ୟନ୍ତ ଫ୍ଲାଏଆସକୁ ପୂର୍ବମାଲିକଙ୍କୁ ପୁନଃ ଦଖଲ ଆଦେଶ ଦେଇଥିଲେ । ପ୍ରଶାସନ ଓ ପୁଲିସକୁ ସହଯୋଗ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ତେବେ ବୁଧବାର ସକାଳେ ଇଟାଭାଟି ସ୍ଥାନରେ ପୂର୍ବ ମାଲିକ ବାଡ ଘେରିବା ସମୟରେ ବର୍ତ୍ତମାନ ଦଖଲରେ ଥିବା ମାଲିକଙ୍କ ସହିତ ଗଣ୍ଡଗୋଳ ଘଟିଥିଲା । ଉଭୟ ଆହତ ହେବା ସହିତ ବଡସାହି ଥାନାରେ ଅଭିଯୋଗ କରିଥିଲେ । ଏହାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ବୃଦ୍ଧି ପାଇବା ସହିତ ଦଖଲରେ ଥିବା ମାଲିକଙ୍କୁ ଗିରଫ ଦାବିରେ ପୂର୍ବ ମାଲିକଙ୍କ ସମର୍ଥକ ବେଲପାଳ ଛକରେ ରାସ୍ତାରୋକ କରିଥିଲେ । ଦିନବେଳେ ବଡ଼ସାହି ବିଡ଼ିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ ହଟାଇବାରେ ବିଫଳ ହୋଇଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ଫୋସ ପହଞ୍ଚିବା ପରେ ପୁଣି ରାସ୍ତାରୋକ ହଟାଇବାକୁ ଚେଷ୍ଟା କରାଯାଇଥିଲା । ଏଥିରେ ଲୋକେ ଉତକ୍ଷିପ୍ତ ହୋଇ ପୋଲିସକୁ ଆକ୍ରମଣ ଓ ଢେଲା ପଥର ମାଡ଼ କରିଥିଲେ । ଗାଁରେ ଏବେ ବି ଉତ୍ତେଜନ ଲାଗିରହିଛି ।