ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍  

ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍ । ବସରେ ଥିବା ୮୦ ଯାତ୍ରୀଙ୍କ ମଧ୍ୟରୁ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ଆହତଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରିଛି । ଆହତଙ୍କ ମଧ୍ୟରୁ ୨ ମହିଳା ଓ ଜଣେ ପୁରୁଷଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ପାଣିକୋଇଲି ସାହାପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ତୀର୍ଥଯାତ୍ରୀ ବସ୍ । ଏକ ଘରୋଇ ବସରେ ଉତ୍ତରପ୍ରଦେଶ ଅଞ୍ଚଳର ୮୦ ଜଣ ପୁରୁଷ ଓ ମହିଳା ପୁରୀ ଆସିଥିଲେ। ପୁରୀରେ ଜଗନ୍ନାଥ ଦର୍ଶନ ସାରି ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶ ଫେରୁଥିବା ବେଳେ ପାଣିକୋଇଲି ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା ଏହି ତୀର୍ଥଯାତ୍ରୀ ବସ୍ ।