ଅଗ୍ନିପଥ ଯୋଜନାକୁ ନେଇ ତେଜିଲା ରାଜନୀତି, କେନ୍ଦ୍ର ଉପରେ ବର୍ଷିଲେ ପିସିସି ସଭାପତି

ଭୁବନେଶ୍ୱର: ଅଗ୍ନିପଥ ଯୋଜନାକୁ ବିରୋଧ କରିଛି କଂଗ୍ରେସ । ସେନା କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ କଂଗ୍ରେସ ନିନ୍ଦା କରେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କେନ୍ଦ୍ର ନିୟମରେ ପରିବର୍ତ୍ତନ ଆଣିବା ପାଇଁ ସେ ଦାବି କରିଛନ୍ତି । କେନ୍ଦ୍ର ସରକାର ବର୍ଷକୁ ୨ କୋଟି ନିଯୁକ୍ତି ଦେବେ ବୋଲି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି । କେନ୍ଦ୍ର ସରକାର ଯୁବକମାନଙ୍କୁ ଆଉ ବିଭ୍ରାନ୍ତ ନ କରନ୍ତୁ ବୋଲି ସେ କହିଛନ୍ତି ।

ସେନା ନିଯୁକ୍ତିରେ କେନ୍ଦ୍ର ଟାଳଟୁଳ ନୀତି ଗ୍ରହଣ କରୁଛି । କଂଗ୍ରେସ ଏ ପ୍ରସଙ୍ଗରେ ଚୁପ୍ ହୋଇ ବସିବ ନାହିଁ । ଚୁକ୍ତିଭିତ୍ତିକ ନିଯୁକ୍ତି ବନ୍ଦ କରାଯାଉ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି  । ବର୍ଷକୁ ୨ କୋଟି ଚାକିରି ଦେବାର ପୂର୍ବ ପ୍ରତିଶ୍ରୁତି କେନ୍ଦ୍ର ସରକାର ପୂରଣ କରିପାରିନାହାନ୍ତି । ଏବେ ପୁଣି ଚାକିରି ଲୋଭ ଦେଖାଇଛନ୍ତି ସରକାର । ସେନାରେ ଚାରି ବର୍ଷିଆ ଠିକା ନିଯୁକ୍ତି ଏକ ପ୍ରହସନ ବୋଲି ସେ କହିଛନ୍ତି । ସିଆଇଟିୟୁ ମଧ୍ୟ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି । ଚାକିରି ନାଁରେ କେନ୍ଦ୍ର ସରକାର ଯୁବକଙ୍କୁ ପ୍ରବଞ୍ଚନା ଦେଉଛନ୍ତି ବୋଲି କହିଛନ୍ତି ରାଜ୍ୟ ସଭାପତି ଜନାର୍ଦ୍ଦନ ପତି ।