ଆଦାୟ ହୋଇପାରୁନି ଋଣ: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଦେଶର ବ୍ଯାଙ୍କିଂ ବ୍ଯବସ୍ଥା

1 min read

ଭୁବନେଶ୍ବର: କାଙ୍ଗାଳ ହେଲେଣି ବ୍ୟାଙ୍କ । ଋଣ ଟଙ୍କା ଆଦାୟ ହୋଇ ନପାରିବାରୁ ଗତ ୫ ବର୍ଷରେ ବଡ଼ ବଡ଼ିଆଙ୍କୁ ଛାଡ଼ ହୋଇଛି ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା । ସୂଚନା ଅଧିକାର ବଳରେ ଏହି ତଥ୍ୟ ଆସିବା ପରେ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ଯେତିକି ଅନାଦେୟ ଋଣ ଗ୍ରହୀତାଙ୍କ ଖାତା ବ୍ୟାଙ୍କ ବନ୍ଦ କରିଛନ୍ତି ସେଥିରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାଗ ୬୩ ପ୍ରତିଶତ । ଅଭିଯୋଗ ହୋଇଛି କେନ୍ଦ୍ର ସରକାର, ବ୍ୟାଙ୍କ ଓ ପୁଞ୍ଜିପତିଙ୍କ ଅସାଧୁ ମେଣ୍ଟ କରି ମଧ୍ୟବିତ୍ତ ବ୍ୟାଙ୍କରେ ରଖୁଥିବା ସଞ୍ଚିତ ଅର୍ଥକୁ ଚଳୁ କରୁଛନ୍ତି ।

ଆଦାୟ ହୋଇ ନପାରି ବୁଡ଼ିଗଲା ଋଣ ଟଙ୍କା । ବଡ଼ ବଡ଼ିଆଙ୍କୁ ଋଣ ଦେଇ ଫସିଗଲେ ବ୍ୟାଙ୍କ । ସ୍ଥିତି ଏମିତି ଗତ ୫ ବର୍ଷରେ ୯ ଲକ୍ଷ ୯୦ ହଜାର କୋଟି ଟଙ୍କାର ଅନାଦେୟ ଋଣ ଖାତାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ବ୍ୟାଙ୍କ । ଯାହାକି ଋଣ ପରିମାଣର ୮୧.୩୦ ପ୍ରତିଶତ । ସୂଚନା ଅଧିକାର ବଳରେ ଏହି ତଥ୍ୟ ସାମନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କୁ ସିଧାସିଧା ଟାର୍ଗେଟ୍ କରିଛନ୍ତି ବିରୋଧୀ । ଅଭିଯୋଗ ହୋଇଛି କୌଣସି ମଧ୍ୟବିତ୍ତ କି ଗରିବ, ଏତେ ପରିମାଣର ଟଙ୍କା ନେଇନାହାନ୍ତି । ପୁଞ୍ଜିପତି ଓ ଅରବପତିଙ୍କୁ ଋଣ ଦେଇ କାଙ୍ଗାଳ ହେଲେଣି ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ । ଦୁଃଖର କଥା, ଆରବିଆଇ ଋଣ ଶୁଝି ନଥିବା ହସ୍ତୀଙ୍କ ନାମ ପ୍ରକାଶ କରିନି କି ପ୍ରକାଶ କରିବାକୁ ଅନୁମତି ଦେଉନି । ଏବେ ପୁଞ୍ଜିପତି-ବ୍ୟାଙ୍କର୍ସ୍ ଓ କେନ୍ଦ୍ର ସରକାରଙ୍କ ଅସାଧୁ ମେଣ୍ଟ ହୋଇଛି ବୋଲି ଅଭିଯୋଗ ହୋଇଛି । ମଧ୍ୟବିତ୍ତ ସେମାନଙ୍କ ସଞ୍ଚିତ ଅର୍ଥ ବ୍ୟାଙ୍କରେ ରଖନ୍ତି । ପୁଞ୍ଜିପତିମାନେ ଋଣ ଆକାରରେ ବ୍ୟାଙ୍କରୁ ସେହି ଟଙ୍କା ନେଇଥାନ୍ତି ।

ଯେତିକି ଅନାଦେୟ ଋଣ ଟଙ୍କା ଛାଡ଼ ହୋଇଛି ସେଥିରୁ ୬୩ ପ୍ରତିଶତ ଅର୍ଥ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେଇଥିବା ଋଣ ସାମିଲ ଅଛି । ଗତ ୫ ବର୍ଷରେ ଯେତିକି ଋଣ ବ୍ୟାଙ୍କମାନେ ପୁଞ୍ଜିପତିଙ୍କୁ ଦେଇଥିଲେ ସେଥିରୁ ମାତ୍ର ୧ ଲକ୍ଷ ୮୫ ହଜାର ୨୪୧ କୋଟି ଟଙ୍କା ଆଦାୟ କରିଛନ୍ତି । ଯଦି ମୋଟ ଋଣ ଅର୍ଥ ପରିଶୋଧ ହୋଇଥାନ୍ତା, ତା’ହେଲେ ୨୦୨୩-୨୪ ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟ ବାବଦ ଥିବା ୧୬ ଲକ୍ଷ ୫୪ ହଜାର କୋଟିରୁ ୫୯ ପ୍ରତିଶତ ପୂରଣ ହୋଇପାରିଥାନ୍ତା । ଖୋଦ ସମୀକ୍ଷକ ମଧ୍ୟ ଋଣ କରିଥିବା ବଡ଼ବଡିଆଙ୍କ ପ୍ରତି କେନ୍ଦ୍ର ସରକାର କିପରି ନରମ, ସେ ନେଇ ସମାଲୋଚନା କରିଛନ୍ତି । ବ୍ୟାଙ୍କ ଏନପିଏ ବଢୁଥିବାରୁ ସାଧାରଣ ଲୋକ କିମ୍ବା ମଧ୍ୟବିତ୍ତଙ୍କୁ ଆବଶ୍ୟକ ଋଣ ଦେବାକୁ ବ୍ୟାଙ୍କ କୁଣ୍ଠାବୋଧ କରୁଛନ୍ତି । ଅନ୍ୟପଟେ ବଡ଼ ବଡ଼ ଶିଳ୍ପପତି ଅତି ସହଜରେ ବ୍ୟାଙ୍କରୁ ଋଣ ନେଇ ଫାଙ୍କିବାକୁ ସବୁ ଫନ୍ଦିଫିକର ବାହାର କରୁଛନ୍ତି । ଫଳରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ।

ବ୍ୟାଙ୍କରେ ଟଙ୍କା ରଖିଲେ ସୁରକ୍ଷିତ । ଏପରି ବିଶ୍ବାସ ସାଧାରଣରେ ରହିଛି । କିନ୍ତୁ ଏନପିଏ ଦଶାରୁ ମୁକିଳିବା ପାଇଁ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଯେପରି ବିଲୟ ହେଉଛି ତାହା ଦର୍ଶାଉଛି ବ୍ୟାଙ୍କିଂ ବ୍ୟବସ୍ଥା କିଛି ଠିକଠାକ ନାହିଁ ।