ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, କକ୍ଷତ୍ଯାଗ କଲେ ବିଜେଡି ଓ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର : ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ଆକ୍ରାମଣାତ୍ମକ ଭୂମିକାରେ ବିରୋଧୀ । ରାଜ୍ଯପାଳଙ୍କ ଅଭିଭାଷଣକୁ ବିରୋଧୀଙ୍କ ବିରୋଧ । ଗୃହରେ ଆରମ୍ଭରୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ନିଜ ଆସନରେ ଛିଡ଼ାହୋଇ ପ୍ରତିବାଦ କରି କକ୍ଷତ୍ଯାଗ କରିଥିଲେ । ଉଭୟ ବିଜେଡି ଓ କଂଗ୍ରେସ ସଦସ୍ଯ ପ୍ରତିବାଦରେ କକ୍ଷତ୍ଯାଗ କରିଛନ୍ତି । ରାଜ୍ଯପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଛି । ରାଜ୍ଯପାଳଙ୍କ ପୁଅ ଲଳିତ କୁମାର ଓଡ଼ିଆ ଏଏସଓଙ୍କୁ ମାଡ଼ମାରିଥିଲେ । ଏନେଇ ଅଭିଯୋଗ ପରେ ବି ନିଆଯାଇନି କାର୍ଯ୍ୟାନୁଷ୍ଠାନ ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଜେପି ଅସ୍ମିତା କଥା କହି ସରକାରକୁ ଆସିଛି । ହେଲେ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ବାଡ଼େଇବା ପରେ ବି ତଦନ୍ତ ହେଉନି । ରାଜ୍ୟପାଳ ଆସି ହିନ୍ଦୀରେ ଅଭିଭାଷଣ ଦେଲେ । ଆଜି ଓଡ଼ିଆଙ୍କ ପାଇଁ ପଦାଘାତ ହୋଇଛି । ଓଡ଼ିଆ ଅସ୍ମିତାକୁ ବଞ୍ଚାଇବାକୁ ପଡିବ । ରାଜ୍ୟପାଳଙ୍କ ପୁଅ ଗିରଫ ନ ହେବା ଯାଏଁ, ଆନ୍ଦୋଳନ ଜାରି ରହିବ ବୋଲି ତାରା କହିଛନ୍ତି ।