ଆଜିଠୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ଓଡ଼ିଶା ନିବେଶକ ସମ୍ମିଳନୀ

1 min read

ବେଙ୍ଗାଲୁରୁ: ଆଜିଠୁ ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଏଥର ଫୋକସ୍ ଏରିଆ ହେଉଛି ଟେକ୍ସଟାଇଲ ଓ ହ୍ୟାଣ୍ଡଲୁମ୍ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ବରେ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ବରିଷ୍ଠ ପ୍ରତିନିଧି ବୈଠକରେ ଯୋଗଦେଇଛନ୍ତି । ରାଜ୍ୟରେ କୁଶଳୀ ବୁଣାକାରଙ୍କ ସହ ହସ୍ତତନ୍ତର ସ୍ବତନ୍ତ୍ର ପରିଚୟ ରହିଛି । ଆପାରେଲ ଓ ଟେକ୍ସଟାଇଲ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବେଙ୍ଗାଲୁରୁରେ ଆୟୋଜିତ ଏହି ସମ୍ମିଳନୀରେ କର୍ଣ୍ଣାଟକ ଓ ଆଖପାଖ ରାଜ୍ୟର ନିବେଶକଙ୍କୁ ସାମିଲ ହୋଇଛନ୍ତି।

ନିକଟରେ ଓଡ଼ିଶା ସରକାର ଓଡ଼ିଶା ଶିଳ୍ପ ସଂକଳ୍ପ ନୀତି-୨୦୨୨ ଏବଂ ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପ ନୀତି-୨୦୨୨ ଆଣିଛନ୍ତି । ଯେଉଁଥିରେ ନିବେଶକଙ୍କୁ ବ୍ୟାପକ ପ୍ରୋତ୍ସାହନ ଓ ସର୍ବୋତ୍ତମ ସୁବିଧା ପ୍ରଦାନର ବ୍ୟବସ୍ଥା ରହିଛି । ବୟନ ଶିଳ୍ପ କ୍ଷେତ୍ରରେ ଅଧିକ ପୁଞ୍ଜି ଆସିଲେ କପାଚାଷୀ ମଧ୍ୟ ଉପକୃତ ହେବେ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ନିବେଶ ସମ୍ମିଳନୀରେ ଟେକ୍ସଟାଇଲ ଓ ଆପାରେଲ କ୍ଷେତ୍ରରେ ପ୍ରତିଷ୍ଠିତ ଉଦ୍ୟୋଗୀମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ମନ ବଳାଇଥିବା ଜଣାପଡ଼ିଛି ।