ଆଜି ଉଦଯାପିତ ହେବ ଜିଲ୍ଲାପାଳ ସମ୍ମିଳନୀ, କୋଣାର୍କ ଇକୋ ରିଟ୍ରିଟରେ ଅନ୍ତିମ ଦିବସ

1 min read

ଭୁବନେଶ୍ୱର: ଆଜି କୋଣାର୍କ ଇକୋ ରିଟ୍ରିଟରେ ଉଦଯାପିତ ହେବ ଜିଲ୍ଲାପାଳ ସମ୍ମିଳନୀ । ଦୁଇଦିନିଆ ସମ୍ମିଳନୀର ଅନ୍ତିମ ଦିବସରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ପର୍କରେ ଆଲୋଚନା ହେବ । ଆଜି ଏମଏସଏମଇ, ଏସଏମଇ, ଜଳ ସଂପଦ, ପର୍ଯ୍ୟଟନ, ପଞ୍ଚାୟତିରାଜ, ବାଣିଜ୍ୟ ଓ ପରିବହନ, ଅର୍ଥ, ସମବାୟ, ରାଜସ୍ବ, ଅନୁସୁଚିତ ଜାତି ଓ ଜନଜାତି ବିଭାଗର ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ନେଇ ବରିଷ୍ଠ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ପରାମର୍ଶ ପ୍ରଦାନ କରିବେ । କୋଭିଡ ମହାମାରୀ ଯୋଗୁ ୩ ବର୍ଷ ଧରି ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହୋଇପାରିନଥିଲା । ଗତକାଲି ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ପ୍ରଶାସନକୁ ଅଧିକ ଲୋକାଭିମୁଖି କରିବା ସହିତ ଲୋକମାନଙ୍କ ପାଖରେ ପ୍ରଶାସନ ଯେପରି ପହଞ୍ଚିବ ସେଥିପାଇଁ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଗୁରୁମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକସେବା ଭବନରେ ଆୟୋଜିତ ଉଦଘାଟନୀ ସମାରୋହରେ ଗୃହ ନଗର ଉନ୍ନୟନ, ସ୍ବାସ୍ଥ୍ଯ, କୃଷି , ମିଶନ ଶକ୍ତି, ଶିଳ୍ପ, ଦକ୍ଷତା ବିକାଶ, ଆଇଟି ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିଭଳି ଲୋକଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚାଇବ ସେ ନେଇ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଅତିରିକ୍ତ ମୁଖ୍ୟ ଶାସନ ଓ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । 5T ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଜିଲ୍ଲାପାଳ ଏବଂ ଡିଆରଡିଏ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । 5T ଓ ମୋ ସରକାର ଦ୍ବାରା ରାଜ୍ୟରେ କରାଯାଇଥିବା କାମ ଏବଂ ଏଥିରେ ଅଭିଜ୍ଞତାକୁ ନେଇ 5T ସଚିବ ଜିଲ୍ଲାପାଳଙ୍କୁ କହିଥିଲେ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସବୁବେଳେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଥିଲେ ।