ରାଜଧାନୀରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା; କଡ଼ାକଡ଼ି ହେବ କଟକଣା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

1 min read
Corona Bhubaneswar

ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏନେଇ ସୋମବାର ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗତ ଏକ ସପ୍ତାହ ହେବ ଭୁବନେଶ୍ୱରରେ କରୋନା ସଂକ୍ରମଣ ସଂଖ୍ୟା ପ୍ରତ୍ୟେକ ଦିନ ଦୁଇ ଅଙ୍କ ଛୁଉଁଛି । ତେଣୁ ଏହାକୁ ରୋକିବାକୁ ହେଲେ ପ୍ରଶାସନକୁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ପୋଲିସ ପ୍ରଶାସନ ମାସ୍କ ବ୍ୟବହାର ଓ ସାମଜିକ ଦୂରତା ପ୍ରତି ଧ୍ୟାନ ଦେବେ । ସାଧାରଣ ଲୋକ ଯେପରି ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ଅବଲମ୍ବନ କରିବେ ତାହା ଉପରେ ବିଏମ୍‌ସି ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ନଜର ରହିବ ।

ଜାଭିୟର ଅନୁଷ୍ଠାନରେ ୨୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ତାକୁ ସିଲ୍‌ କରିଦିଆଯାଇଛି । ସୋମାବାର ସେଠାରୁ ୨୦୧ ଜଣଙ୍କ ନମୁନା ସଂଗ୍ରହ କରାଯାଇଛି । ତେବେ ପ୍ରତ୍ୟେକ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଛନ୍ତି ସେମାନଙ୍କର ଟେଷ୍ଟିଂ କରାଯିବ । ତେବେ ଶନିବାର ଜାଭିୟରରେ ହୋଇଥିବା ସମାବର୍ତ୍ତନ ଉତ୍ସବ ପାଇଁ ବିଏମ୍‌ସି ଅନୁମତି ଦେଇନଥିଲା । ଏହି ଉତ୍ସବରେ ଅନେକ ଲୋକ ଜମା ହୋଇଥିଲେ ।

ତେବେ ଏଣିକି ଆଉ ଅବହେଳାକୁ ବରଦାସ୍ତ କରାଯିବନି । ରେଗୁଲାର ଚେକିଂ ହେବ । ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏଣିକି ପ୍ରତ୍ୟେକ ଦିନ ଚଢ଼ାଉ କରିବେ । ଯେଉଁ ସବୁ ଅଞ୍ଚଳରେ ଗହଳି ଦେଖାଯିବ ସେଠାରେ ପ୍ରଶାସନର ନଜର ରହିବ । ରେଳ ଷ୍ଟେସନ ଓ ବିମାନବନ୍ଦର ଉପରେ ମଧ୍ୟ ତୀକ୍ଷ୍ଣ ନଜର ରହିବ । ତେବେ ଅନ୍ୟ ରାଜ୍ୟରୁ ତଥା ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଉପରେ ଅଧିକ ଫୋକସ୍‌ ରହିବ । RTPCR ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ । ସ୍ମାର୍ଟସିଟିର ଅନ୍ୟ ଅଂଚଳରେ ବି ଚେକିଂ ହେବ ।

ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଟେଷ୍ଟିଂ କରାଯିବ । ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave a Reply