ଆସନ୍ତା ଏକ ସପ୍ତାହ ମଧ୍ୟରେ କୋଭିଡ୍ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢ଼ିବ

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟରେ କୋଭିଡ୍ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର ବିଷୟରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶା ବାହାରୁ ଅଧିକ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରୁଥିବାରୁ ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରର ଉପଯୁକ୍ତ ପରିଚାଳନା ଓ ଲୋକଙ୍କୁ ରୋଜଗାର ଯୋଗାଇ ଦେବ ସହ ଅର୍ଥନୀତିକୁ ଗତି ପ୍ରଦାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

କୋଭିଡ୍ ବିରୋଧରେ ସଂଘର୍ଷ ଏକ ଲମ୍ବା ଯୁଦ୍ଧ ତେଣୁ କୋଭିଡ ମୁକାବିଲାରେ ସମାଜର ସକ୍ରିୟ ଅଂଶଗ୍ରହଣ ସହିତ ପଞ୍ଚାୟତିରାଜ ଅନୁଷ୍ଠାନକୁ ଅଧିକ ସଶକ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ଗଞ୍ଜାମରେ ଯେଉଁଭଳି ଭାବେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବା ଅନ୍ତେବୀସୀଙ୍କୁ କୋଭିଡ୍ ସଂପର୍କିତ ତାଲିମ ଦିଆଯାଉଛି, ସେହିଭଳି ତାଲିମ ଅନ୍ୟତ୍ର ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ଏକ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଗାମୀ ଏକ ସପ୍ତାହ ମଧ୍ୟରେ ଗଞ୍ଜାମ ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବଲାଙ୍ଗିର ଆଦି ଜିଲ୍ଲାରେ କୋଭିଡ ସେଣ୍ଟର ଗୁଡ଼ିକର ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲକଡାଉନ କାରଣରୁ ଧିମା ପଡ଼ିଯାଇଥିବା ଅର୍ଥନୀତିକୁ ଗତିପ୍ରଦାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ମିଶନ ଶକ୍ତି ଓ  MGNREGS କାର୍ଯ୍ୟକ୍ରମକୁ ଅଧିକା ବ୍ୟାପକ କରିବା ଦରକାର । ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କୃଷି ଓ ଅର୍ଥନୀତିକୁ ଅଧିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ୩ଟି ଅଧ୍ୟାଦେଶ ଆଣିବେ ବୋଲି ବୈଠକରୁ ଜଣା ପଡ଼ିଛି ।

ଏହା ସହ ଲକଡାଉନ୍ ନିୟମ ଭଙ୍ଗକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି ।

Leave a Reply