ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ, ଖାଦ୍ୟର ମାନ ପରିଖିଲେ ନୋଡାଲ ଅଧିକାରୀ

ଭୁବନେଶ୍ୱର: ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ । ଖାଦ୍ୟର ମାନ ପରିଖିଲେ ନୋଡାଲ ଅଧିକାରୀ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ପରିଦର୍ଶନ କରି ସେଠାରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆହାରର ରାଜ୍ୟ ନୋଡାଲ ଅଧିକାରୀ ସାରଦା ପ୍ରସାଦ ପଣ୍ଡା । ଖାଦ୍ୟର ମାନ ଯାଞ୍ଚ କରିବା ସହିତ ଆହାର କେନ୍ଦ୍ରର ପରିବେଶ ଓ ପରିଚ୍ଛନ୍ନତା ଅନୁଧ୍ୟାନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଲୋକଙ୍କ ସଂଖ୍ୟା ଅଧିକ ରହୁଛି । ଭିଡ଼ ପାଇଁ ଆଉ ଟିକେ ଅଧିକ ସ୍ଥାନ ଦରକାର ବୋଲି କହିଛନ୍ତି ସାରଦା ପ୍ରସାଦ ପଣ୍ଡା । ରାଜ୍ୟର କିଛି ସ୍ଥାନରେ ଥିବା ଆହାର କେନ୍ଦ୍ରରେ ଏସି ଲଗାଯାଇଛି । ଏଠାରେ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ଏସି ଲଗାଯିବା ନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି । ସବୁ ଆହାର କେନ୍ଦ୍ରକୁ ପରିଷ୍କାର ରଖିବା ସହ ଖାଦ୍ୟର ମାନ ଉତ୍ତମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାରଦା ପ୍ରସାଦ ପଣ୍ଡା ।