ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚିତ ହେବେ ନୂଆ ବାଚସ୍ପତି, ଆଜି ଦାଖଲ ହେବ ନାମାଙ୍କନ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚିତ ହେବେ ନୂଆ ବାଚସ୍ପତି । ଏଥିପାଇଁ ଆଜି ଦାଖଲ ହେବ ନାମାଙ୍କନ । ଆସନ୍ତାକାଲିଠୁ ବସିବ ଦୁଇଦିନିଆ ଅଧିବେଶନ । ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ଦିନ ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବେ । ଗତ ୩୦ ତାରିଖରେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଜେପିର ଦେବେନ୍ଦ୍ର ଫଡନଭିସ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଣେ ଶିବସେନାର ୩୮ ବିଧାୟକଙ୍କ ବିରୋଧରେ ମହାବିକାଶ ଅଘାଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶିବସେନାର ସବୁ ବିଦ୍ରୋହୀ ବିଧାୟକଙ୍କୁ ବିଧାନସଭାରୁ ବାରଣ ପାଇଁ ଆବେଦନ କରାଯାଇଛି । ଯେଉଁ ବିଧାୟକଙ୍କ ବିରୋଧରେ ଶୁଣାଣି ଚାଲିଛି ବା ଶୁଣାଣି ହେବାକୁ ଯାଉଛି, ସେମାନଙ୍କୁ ଗୃହକାର୍ଯ୍ୟରୁ ରୋକିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି  । ଆସନ୍ତା ୧୧ ତାରିଖରେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିବେ ।

ଏକନାଥ ସିନ୍ଦେଙ୍କ ବିଦ୍ରୋହ ସତ୍ତ୍ୱେ  ଶିବସେନା ଉଦ୍ଧବ ଠାକେରଙ୍କର ବୋଲି ଟିମ୍ ଉଦ୍ଧବ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି । ଯାହା ଜଣାପଡ଼ୁଛି ଟିମ୍ ଉଦ୍ଧବ ହଠାତ ଏବେ ବି ହାର ମାନିବା ମୁଡରେ ନାହିଁ  । ଏକନାଥ ସିନ୍ଦେଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଟିମ୍ ଉଦ୍ଧବ ପ୍ରସ୍ତୁତ ହେଉଛି । ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଉଦ୍ଧବ ଠାକେର । ଯେଉଁମାନେ ବିଜେପି ସହ ଯାଇଛନ୍ତି, ସେମାନେ ନିଜକୁ ପ୍ରଶ୍ନ କରନ୍ତୁ ବୋଲି ଉଦ୍ଧବ କହିଛନ୍ତି  । ବର୍ତ୍ତମାନ ବିଜେପି ମୁଖ୍ୟମନ୍ତ୍ରୀ ପଦ ପ୍ରତ୍ୟାଖ୍ୟାନ କରିଛି, ତେବେ  ୨୦୧୯ରେ କାହିଁକି ଅମଙ୍ଗ ହେଉଥିଲା ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ ।