ପର୍ଯ୍ୟଟକଙ୍କୁ ଟାଣିଆଣେ ଉନାକୋଟିର ଏହି ରହସ୍ୟମୟ କଳାକୃତି

ଧର୍ମସ୍ଥଳୀ ତା ସାଙ୍ଗକୁ ପର୍ଯ୍ୟଟନ ସ୍ଥଳୀ । କାହିଁ କେତେ ଦୂରରୁ ଲୋକଙ୍କୁ ଏଠାକୁ ଟାଣିଆଣେ ଏଠାକର କଳାକୃତି । କଳାକୃତିରେ ଭରା ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି । ପାହାଡ଼ରେ ଆଛଦ ଏହି ସ୍ଥାନରେ ଦେବାଦେବୀଙ୍କ କଳାକୃତି ଖୁବ୍‌ ମନୋରମ । ଉନାକୋଟି, ଏହା ଏକ ବଙ୍ଗଳା ଶବ୍ଦ । ଯାହାର ଅର୍ଥ ହେଉଛି କୋଟିଏରୁ ଗୋଟିଏ କମ୍‌ । କିନ୍ତୁ ଏହି ସ୍ଥାନକୁ ନେଇ ରହିଛି ଏକ ରହସ୍ୟମୟ କାହାଣୀ ।

ପୌରାଣିକ କଥା ଅନୁସାରେ, ପୃଥିବୀ ଭ୍ରମଣରେ ବାହାରିଥିଲେ ୧ କୋଟି ଦେବାଦେବୀ।  କୈଳାସକୁ ଯିବା ରାସ୍ତାରେ ହଠାତ୍‌  ରାତି ହୋଇଯିବାରୁ କ୍ଲାନ୍ତ ହୋଇ ସମସ୍ତେ ଉନାକୋରେଟି ବିଶ୍ରାମ କଲେ। କିନ୍ତୁ ସମସ୍ତଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ନିଦ୍ରା ଭାଙ୍ଗିବାର ଥିଲା । ଏହାପରେ ଯାତ୍ରା ପୁଣିଥରେ ଆରମ୍ଭ ହୋଇଥାନ୍ତା । କିନ୍ତୁ ଠିକ୍‌ ସମୟରେ କେବଳ ପ୍ରଭୁ ଶିବ ହିଁ ଉଠିଥିଲେ । ଶିବ ଉଠିବା ବେଳକୁ ସମସ୍ତ ଦେବାଦେବୀ ସେମିତି ନିଦ୍ରାରେ ଶୋଇ ରହିଥିଲେ ।  ଖାଲି ସେତିକି ନୁହେଁ କ୍ଲାନ୍ତ ହୋଇ ଯାଇଥିବାରୁ କାହାର ମଧ୍ୟ ଉଠିବାରେ ଇଛା ନଥିଲା ।  ଯାହାପରେ କ୍ରୋଧିତ ହୋଇ ପଥରରେ ପରିଣତ ହୋଇଯାଅ ବୋଲି ଶିବ ଅଭିଶାପ ଦେଇଥିଲେ । ତେଣୁ ସମସ୍ତ ଦେବାଦେବୀ ସେଠାରେ ପଥର ପାଲଟି ଯାଇଥିଲେ ।

ଉନାକୋଟି  ଅଗରତାଲାରୁ ୧୪୦ କିଲୋମିଟର ଦୂରରେ ଅବସ୍ଥିତ । ଏଠାକୁ ଯିବାପାଇଁ ବସ୍‌ ଏବଂ ଟ୍ରେନର ସୁବିଧା ରହିଛି । କିନ୍ତୁ ଏଠାକୁ ଯିବାର ସର୍ବୋତ୍ତମ ସମୟ ହେଉଛି ଶୀତଦିନ । ଦେବାଦେବୀଙ୍କ ମୂର୍ତ୍ତି ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ପର୍ଯ୍ୟଟକଙ୍କୁ ଶାନ୍ତି ପ୍ରଦାନ କରେ । ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ରହିଛି । ଏଠାରେ ଥିବା କିଛି ଦେବାଦେବୀଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୩୦ରୁ ୪୦ ଫିଟ୍‌ ।