ଆଜି ଉଦଘାଟିତ ହେବ ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର

1 min read

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଉଇଁଲା ନୂଆ ସୂର୍ଯ୍ୟ । ରୂପାନ୍ତରଣ ଅଧ୍ୟାୟରେ ମାଲକାନଗିରି  । ଆଜି ଉଦଘାଟିତ ହେବ ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ଏହାର ଶୁଭାରମ୍ଭ କରିବେ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ । ୨୦୧୮ ମସିହାରେ ଗୁରୁପ୍ରିୟା ସେତୁର ଲୋକାର୍ପଣ ପରେ ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢୁଛି ସ୍ବାଭିମାନ ଅଞ୍ଚଳ । ଜିଲ୍ଲାକୁ ବିମାନସେବା ସ୍ବପ୍ନ ଭଳି ଲାଗୁଥିଲେ ବି ରାଜ୍ୟ ସରକାରଙ୍କ ଉଦ୍ୟମରେ ଆକାଶରେ ଉଡ଼ାଣ ଆଶା ପୂରଣ ହୋଇଛି  ।

ପ୍ରାୟ ୧୦୬ ହେକ୍ଟର ଜମିରେ ନିର୍ମିତ ବିମାନ ବନ୍ଦରରେ ୧୬୨୦ ମିଟର ରନଓ୍ବେ ରହିଛି । ଆବଶ୍ୟକସ୍ଥଳେ ୩କିଲୋମିଟର ପର୍ଯ୍ୟନ୍ତ ଏହାକୁ ସଂପ୍ରସାରଣ ହୋଇପାରିବ  । ଏଠାରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବା ସୁବିଧା ରହିଛି । ମାତ୍ର ୧୪ ମାସରେ ୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ଏୟାରପୋର୍ଟ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି  । ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି  ।

ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍କେଲା, ରାଉରକେଲା ପରେ ମାଲକାନଗିରି ବିମାନ ଉଡ଼ାଣ ସୂଚୀରେ ସାମିଲ ହେବାକୁ ଯାଉଛି । ବିମାନ ସେବା ଆରମ୍ଭ ହେଲେ ଜିଲ୍ଲାରେ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ । ପୂର୍ବରୁ ପରୀକ୍ଷା ମୂଳକ ଭାବେ ଭିଟି ୧୦୦ ବିମାନ ଅବତରଣ କରିଥିଲା । ଟ୍ରାଏଲ ରନ୍ ସଫଳ ସହ ଭିତ୍ତିଭୂମିକୁ ସମସ୍ତେ ପ୍ରଶଂସା କରିଥିଲେ । ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି  ।