ନିଖୋଜ ପୁଅକୁ ଝୁରିଝୁରି ମାଆ ଆଖିରୁ ଲୁହ ଶୁଖୁନି

ବଲାଙ୍ଗିର : ଜନ୍ମାଷ୍ଟମୀରେ ପୁଅକୁ ଖୋଜୁଛି ମାଆ । କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ପରିବାର । ୪ ଦିନ ହେଲା ନିଖୋଜ ପୁଅକୁ ଝୁରିଝୁରି ମାଆ ଆଖିରୁ ଲୁହ ଶୁଖୁନି । ବଲାଙ୍ଗୀର ଜିଲ୍ଲା ରଣ୍ଢା ଗାଁର ଝରଣୀ ନନ୍ଦ । ଗତ ରବିବାର ଠାରୁ ତାଙ୍କ ୧୫ ବର୍ଷର ପୁଅ ମିଲନ ନିଖୋଜ ଅଛନ୍ତି । ରଣ୍ଢା ହାଇସ୍କୁଲରେ ଦଶମ ଶ୍ରେଣୀ ପାଠ ପଢନ୍ତି ମିଲନ । ରବିବାର ଭୋରରୁ ପୋଖରୀକୁ ଗାଧୋଇବାକୁ ଯାଇ ଫେରିବା ପରେ ଭଉଣୀ ସହ ମିଶି ଜଳଖିଆ ଖାଇଥିଲେ । ହେଲେ ଦିନ ୧୧ଟାପରେ ଘରୁ କୁଆଡେ ଚାଲିଗଲେ ଯେ ଆଉ ଫେରି ନାହାନ୍ତି । ଭାଇର ନିଖୋଜ ପରେ ଦୁଇ ଭଉଣୀବି କାନ୍ଦି କାନ୍ଦି ଝୁରି ହେଉଛନ୍ତି । ମିଲନଙ୍କ ବାପା ତାମିଲନାଡୁରେ କାମ କରନ୍ତି ।

ପରିବାର ଲୋକଙ୍କ ଅଭିଯୋଗ, ମିଲନ କିଛିଦିନ ହେବ କୁସଙ୍ଗରେ ପଡ଼ିଯାଇଥିଲେ । ନାବାଳକ ନିଖୋଜ ନେଇ ପରିବାର ଲୋକ ପୁଇଁତଳା ଥାନାରେ ଅଭିଯୋଗ  କରିଛନ୍ତି । କେସ ନମ୍ବର ୪୧/୨୦୨୩ରେ ମାମଲା ରୁଜୁ କରିଛି ପୋଲିସ । ନାବାଳକ ହୋଇଥିବାରୁ ମିସିଂ ସହ ଅପହରଣ ମାମଲା ବି ରୁଜୁ ହୋଇଛି । ରେଳଷ୍ଟେସନ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଥିବା ବେଳେ ଅନେକ ସ୍ଥାନକୁ ନାବଳକର ଫଟୋ ପଠାଯାଇଛି । ଘଟଣାକୁ ଗୁରୁତ୍ର ସହ ନେଇ ତଦନ୍ତ ଚଳାଇଛି ପୁଇଁତଳା ଥାନା ପୋଲିସ । ଜନ୍ମଷ୍ଟମୀରେ ମାଆମାନେ ନିଜ ପୁଅ ଝିଅଙ୍କ ଶୁଭମନାସୀ କେତେ ଖୁସି ହୁଅନ୍ତି । ହେଲେ ଝରଣୀ କିନ୍ତୁ ନିଜ ପୁଅକୁ ହରାଇ ଆଜି ହତୋତ୍ସାହିତ । ଫେରି ଆ ମିଲନ କହି କାନ୍ଦି କାନ୍ଦି ବେହୋସ ହେଉଛି ମାଆ ।